ଭୁବନେଶ୍ୱର: ସମସ୍ତେ ସଦା ସର୍ବଦା ଫିଟ୍ ଅବା ସୁସ୍ଥ ରହିବା ପାଇଁ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଭାବରେ ଧ୍ୟାନ ଦେଇଥାନ୍ତି । ସେଥିପାଇଁ ଯୁବପିଢୀ ପ୍ରତିଦିନ ଖାଦ୍ୟ ଉପରେ ଧ୍ୟାନ ଦେବା ସହ ଗ୍ରୀନ ଟି ପିଇବା ହେଉ କିମ୍ବା ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଦିନରେ ଅଧିକାଂଶ ଥର କାଢା ପିଇଥାନ୍ତି । ହେଲେ ଆପଣ ଜାଣିଛନ୍ତି କି, କାଢା ଆମ ଶରୀର ପାଇଁ ଯେତିକି ଉପକାରୀ ସେତିକି ଅପକାରୀ ମଧ୍ୟ । ସେଥିପାଇଁ କାଢା ପିଇବାର ସଠିକ ପ୍ରଣାଳୀ ବିଷୟରେ ଆସନ୍ତୁ ଜାଣିବା ।
ଆମେ ସମସ୍ତେ ଜାଣିଛେ , କୌଣସି ଜିନିଷକୁ ଅତି ମାତ୍ରାରେ ବ୍ୟବହାର କରିବା କ୍ଷତି ପହଞ୍ଚାଇଥାଏ ଏବଂ ଏହି କଥା କାଢ଼ା ଉପରେ ମଧ୍ୟ ଲୋଗୁ ହୋଇଥାଏ । ନ୍ୟୁୟର୍କର ଜଣେ ଆୟୁର୍ବେଦିକ ଡାକ୍ତର ନିଧି ପାଣ୍ଡେଙ୍କ କହିବା ଅନୁଯାୟୀ, ଯଦି କାଢ଼ାକୁ ଠିକ ଭାବରେ ପିଆ ନଯାଏ ତେବେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । କାଢ଼ାକୁ ଅତିମାତ୍ରାରେ ଫୁଟାଇବା ବା ଏହାକୁ ଅତିମାତ୍ରାରେ ପିଇବା ଦ୍ୱାରା ୟୁରିନ ଇନଫେକସନ, ଚର୍ମ ଶୁଷ୍କ ହୋଇଯିବା, ବ୍ରଣ, ଆସିଡିଟି ଏବଂ ମୁହଁ ଶୁଖିଯିବା ଭଳି ସମସ୍ୟା ଦେଖାଦେଇପାରେ । ଯଦି ଆପଣ କାଢ଼ା ପିଇ ଏହାର ଲାଭ ଉଠାଇବାକୁ ଚାହୁଛନ୍ତି ତେବେ ଏହାକୁ ସଠିକ ମାତ୍ରାରେ ଏବଂ ସଠିକ ଭାବରେ ପିଅନ୍ତୁ । ଆପଣ କାଢ଼ାକୁ ଗୋଟିଏ ଦିନରେ ତିନି ଚାରି ଥର ପିଉଛନ୍ତି କି ? ତେବେ ଏହି ଅଭ୍ୟାସକୁ ତୁରନ୍ତ ଛାଡ଼ନ୍ତୁ । ଗୋଟିଏ ଦିନରେ କେବଳ ଅଧ କପ କାଢ଼ା ପିଅନ୍ତୁ । ଶୀତ ଦିନରେ ଏହାକୁ ବଢ଼ାଇ ଦୁଇ କପ କାଢ଼ା ପିଇପାରିବେ ।
ଏହା ବ୍ୟତୀତ କାଢ଼ାରେ ପଡ଼ୁଥିବା ମସଲା ଗୁଡ଼ିକୁ ଅଧିକ ଫୁଟାଇବା ଦ୍ୱାରା ଏହାର ପ୍ରଭାବ ଅଧିକ ରହିନଥାଏ । ଏହାକୁ ଅଧିକ ଫୁଟାଇବା ଦ୍ୱାରା କାଢ଼ା ପିତା ଲାଗିଥାଏ ଏବଂ ପିଇବା ପରେ ପେଟରେ ଜଳାପୋଡ଼ା ଏବଂ ଆସିଡିଟି ହୋଇଥାଏ । କାଢ଼ାରେ ମସଲା ଗୁଡ଼ିକୁ କିଛି ମିନିଟ ପାଇଁ ଫୁଟାଇବା ବା ଷ୍ଟିମ ଦେବା ଯଥେଷ୍ଟ ଅଟେ । ପ୍ରତିଦିନ କାଢ଼ା ପିଉଥିଲେ ନିଜ ଶରୀରକୁ ହାଇଡ୍ରେଡ ରଖନ୍ତୁ । ପେଟକୁ ଥଣ୍ଡା ରଖିବା ପାଇଁ ପାଣିରେ ପୁଦିନା ପତ୍ର ମିଶାଇ ଏବଂ ପଇଡ଼ା ପାଣି ପିଅନ୍ତୁ । କାଢ଼ା ଶରୀରରେ ଗରମ ଉତ୍ପନ୍ନ କରୁଥିବାରୁ ଏହାକୁ ପ୍ରତିଦିନ ପିଇବା ଉଚିତ ନୁହେଁ । ଆପଣ ଏହାକୁ ତିନି ସପ୍ତାହ ଲଗାତାର ପିଇବା ପରେ ଦୁଇ ସପ୍ତାହ ବ୍ରେକ ନିଅନ୍ତୁ । ଏହାଦ୍ୱାର ଆପଣଙ୍କ ପେଟ ଏବଂ ଶରୀର ଉପରେ ଅଧିକ ଭାର ପଡ଼ିବ ନାହିଁ ।