ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ବହୁ ଦୁର୍ଗମ ଆଦିବାସୀ ଗ୍ରାମକୁ ରାସ୍ତାଟିଏ ନାହିଁ । ଯାହା ଫଳରେ ରୋଗୀ ଓ ଗର୍ଭବତୀ ମହିଳାଙ୍କ ପ୍ରସୂତୀ ସହ ସାଧାରଣ ଲୋକ ପାହାଡ଼ ତଳକୁ ଆସିବା ବେଳେ ବହୁ କଷ୍ଟ ଅନୁଭବ କରିବା ନିତିଦିନିଆ ଘଟଣା ପାଲଟିଛି । ତେବେ ଆଙ୍କୁଲି ତାରାସିଙ୍ଗ ଗ୍ରାମର ଗର୍ଭବତୀ ମହିଳା ପ୍ରସବଜନିତ ଯନ୍ତ୍ରଣାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଛଟପଟ ହେବା ଦେଖି ଡାକ୍ତରଖାନାକୁ ଆଣିବା ବେଳେ ଘଞ୍ଚ ଜଙ୍ଗଲର ଏକ ଗଛ ମୂଳେ ସନ୍ତାନ ପ୍ରସବ କରିଛନ୍ତି । ମହିଳା ଜଣକ ଆଙ୍କୁଲି ପଂଚାୟତ ତାରସିଙ୍ଗ ଗ୍ରାମର ଜାଗିଲି ପ୍ରଧାନଙ୍କ ପତ୍ନୀ ମାମି ପ୍ରଧାନ ବୋଲି ଜଣାପଡ଼ିଛି । ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି ।
ପ୍ରସୂତିଙ୍କୁ ତାଙ୍କ ସ୍ୱାମୀ ଜାଗିଲି ପ୍ରଧାନ ଏବଂ ଗ୍ରାମବାସୀ ସାଗୀଭାର(ଦୋଳା) ସାହାଯ୍ୟରେ ପାହାଡ଼ ତଳ ତରମୁଣ୍ଡା ବୋହି ନେଉଥିଲେ । ଗ୍ରାମଠାରୁ ତରମୁଣ୍ଡା ପ୍ରାୟ ଦଶ କିଲୋମିଟର ଦୂର ହେଉଥିବା ବେଳେ ମଝି ରାସ୍ତାରେ ମାମିଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପାତ୍ରପୁର ବ୍ଲକର ଆଙ୍କୁଲି ବୁରାତାଲ ସମେତ ଅନ୍ୟ ପଂଚାୟତର କେତେକ ଗ୍ରାମକୁ ରାସ୍ତାଟିଏ ନାହିଁ । ଯାହା ଫଳରେ ଲୋକମାନେ ରାସ୍ତା ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ କେତେକ ଗ୍ରାମକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ରାସ୍ତାଟିଏ ନଥିବା ଗ୍ରାମକୁ ଖସଡ଼ା ପ୍ରସ୍ତୁତକରି ରାସ୍ତାନିର୍ମାଣ କଲେ ଲୋକଙ୍କ ପଥ କଷ୍ଟ ଦୂର ହୋଇପାରିବ ।