ଭୁବନେଶ୍ୱର,(ଓଏନଏ): ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ୱାଧୀନତା ହାସଲ କଲାବେଳେ ଦେଶରେ ଏତ ସ୍ଥାୟୀ ସମ୍ବିଧାନ ନଥିଲା । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୂଆ ହେଉଛି ନିଜସ୍ୱ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଂଚା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ-୧୯୩୫ ପ୍ରସ୍ତୁତ କରିଥିଲେ । ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା ଗଠିତ ହୋଇଥିଲା । ଏହି ସଭାରେ ଜବାହାରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ଡ.ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ, ବଳବନ୍ତ ରାଏ ମେହେଟ୍ଟା, କେଏମ ମୁନ୍ସୀ, ସରୋଜିନୀ ନାଇଡୁ ଓ ରାଜକୁମାରୀ ଅମୃତ କାଉରଙ୍କ ଭଳି ତୁଙ୍ଗ ନେତାମାନେ ସାମିଲ ଥିଲେ । ୧୯୩୦ ମସିହା ଜାନୁଆରୀ ୨୬ ତାରିଖରୁ ଭାରତୀୟ ଜାତୀୟ କଂଗ୍ରେସ ଏହି ଦିବସକୁ ପୂର୍ଣ୍ଣ ସ୍ୱରାଜ ଦିବସ ବା ସ୍ୱାଧୀନତା ଦିବସ ଭାବେ ପାଳି ଆସୁଥିବାରୁ ଏହି ଦିନକୁ ସମ୍ବିଧାନର କାର୍ଯ୍ୟକାରୀ ଦିବସ ବା ଗଣତନ୍ତ୍ର ଦିବସ ରୂପେ ଘୋଷଣା ପାଇଁ ସ୍ଥିରୀକୃତ ହୋଇଥିଲା । ମୂଳ ଗ୍ରନ୍ଥ ଦୁଇଟିର ପ୍ରତିଟି ପୃଷ୍ଠା ଚିତ୍ରିତ ହାତଲେଖାରେ ତିଆରି ହୋଇଛି । ଏଥିରେ ଶାନ୍ତିନିକେତନର କଳାକାର ବେହର ରାମ ମନୋହର ସିହ୍ନାଙ୍କ ଅନ୍ୟମାନଙ୍କ ହସ୍ତଲିପିର ଚାତୁର୍ଯ୍ୟ ରହିଛି । ଭାରତର ସମ୍ବିଧାନର ପ୍ରାରମ୍ଭରେ ପ୍ରାକକଥନ ରହିଛି । ମୂଳ ସମ୍ବିଧାନରେ ସର୍ବମୋଟ ୨୨ ଗୋଟି ଭାଗ ବା ଅଧ୍ୟାୟ ମଧ୍ୟରେ ୩୯୫ଟି ଧାରା ଓ ୮ ଗୋଟି ପରିଶିଷ୍ଟ ରହିଥିଲା । ୨୦୧୧ ମସିହା ମାର୍ଚ୍ଚ ମାସ ସୁଦ୍ଧା ୧୧୪ ଥର ସମ୍ବିଧାନ ସଂଶୋଧନ ହୋଇସାରିଲାଣି । ବର୍ତମାନ ରୂପରେ ଭାରତୀୟ ସମ୍ବିଧାନର ପ୍ରାକକଥନ ସହ ସର୍ବମୋଟ ୨୫ ଗୋଟି ଭାଗ ମଧ୍ୟରେ ୪୫୦ଟି ଧାରା ଓ ୧୨ ଗୋଟି ପରିଶିଷ୍ଟ ଅଛି ।