ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ମାର୍ଚ୍ଚରେ ଅନୁଷ୍ଠିତ ହେବ । ହେଲେ ଏହା ପୂର୍ବରୁ ମତଦାନ ଆରମ୍ଭ ହୋଇସାରିଛି ଏବଂ ଏପର୍ଯ୍ୟନ୍ତ ୫୭୧୫ ଲୋକ ମତଦାନ କରିଛନ୍ତି । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲାର ୩୦ ବିଧାନସଭା ସିଟରେ ୨୭ ମାର୍ଚ୍ଚରେ ଭୋଟଗ୍ରହଣ ହେବ । ହେଲେ ଚଳିତ ଥର ନିର୍ବାଚନ ଆୟୋଗ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ପାଇଁ ଘରକୁ ଘର ଯାଇ ପୋଷ୍ଟାଲ ବାଲେଟ ମାଧ୍ୟମରେ ମତଦାନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଏହା ମଧ୍ୟରେ ମଙ୍ଗଳବାରରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବୁଧବାର ରାଜ୍ୟର ସଂଯୁକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଜୟ ବସୁ କହିଛନ୍ତି, ମଙ୍ଗଳବାରରୁ ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲା- ପୂର୍ବ ମେଦିନିପୁର, ପଶ୍ଚିମ ମେଦିନିପୁର, ଝାଡଗ୍ରାମ, ପୁରୁଲିୟା, ବାଙ୍କୁଡାର ୩୦ ବିଧାନସଭା କ୍ଷେତ୍ରରେ ଘରେ ଘରେ ଯାଇ ମତଦାନ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଏପର୍ଯ୍ୟନ୍ତ ୫୭୧୫ ଲୋକ ମତଦାନ କରିଛନ୍ତି ।
ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୩୦ ସିଟରେ ମୋଟ ୩୨୪୩୨ ଲୋକ ଘରୁ ମତଦାନ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୭୭୧୩ ବରିଷ୍ଠ ନାଗରିକ ଓ ୪୭୧୯ ଦିବ୍ୟାଙ୍ଗ ରହିଛନ୍ତି । ଶ୍ରୀ ବସୁ କହିଛନ୍ତି, ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୩-୪ ଦିନ ପୂର୍ବରୁ ଏହି ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ ।