19.1 C
Bhubaneswar
Tuesday, November 19, 2024
Homeଓଡିଶା୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୁର୍ଣ୍ଣିବଳୟ

୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୁର୍ଣ୍ଣିବଳୟ

ଭୁବନେଶ୍ୱର:  ଧୀରେ ଧୀରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ବିଳମ୍ବ ହେଉଛି ଲଘୁଚାପ । ପାଣିପାଗର ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତତସଂଲଗ୍ନ ଆଣ୍ଡାମାନ ସାଗର ଅଞ୍ଚଳରେ ଏହା ବାୟୁମଣ୍ଡଳର ୪.୫ କିମି ଯାଏଁ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ଲଘୁଚାପର ରୂପ ନେବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଓଡ଼ିଶା ଉପକୂଳ ମୁହାଁ ହେବା ଆଶଙ୍କା ରହିଛି। ପୂର୍ବରୁ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ଆକଳନ କରାଯାଉଥିଲା, ହେଲେ ଏବେ କିଛି ମଡ଼େଲ ଏହାର ଗତିପଥ ସାମାନ୍ୟ ଦକ୍ଷିଣ ପାଶ୍ୱର୍କୁ ଯାଉଥିବା ଦର୍ଶାଉଛି । ଯଦି ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରେ ତେବେ ଓଡ଼ିଶାକୁ ଭାରି ବର୍ଷା ହେବା ସମ୍ଭାବନା ରହିଛି ।

ଅଥବା ଯଦି ଏହା ଗତିପଥ ବଦଳାଇ ସାମାନ୍ୟ ଦକ୍ଷିଣ ଆଡ଼କୁ ଗତି କରେ ତେବେ ନିକଟରେ ଯାଇଥିବା ବାତ୍ୟା ଗୁଲାବ ପରି ଏହା ମଧ୍ୟ ଦକ୍ଷିଣ ଓଡ଼ିଶା ଉପକୂଳର କିଛି ଜିଲ୍ଲା ହୋଇ ଆନ୍ଧ୍ର ମୁହାଁ ହେବ ବୋଲି ପାଣିପାଗ ବତିଜ୍ଞାନୀ ମତ ଦେଇଛନ୍ତି । ଲଘୁଚାପ କ୍ଷେତ୍ର ସୃଷ୍ଟି ନହେବା ଯାଏଁ ଅଧିକ ଆକଳନ କରିବା ଅନୁଚିତ୍ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ସମୂଦ୍ରରେ ଗତିଶୀଳ ହେଲେ ତାର ତୀବ୍ରତା ଜଣାପଡ଼ିବ । ବାତ୍ୟା ଆଶଙ୍କା ଅପେକ୍ଷାକୃତ କମ୍ ଥିବାବେଳେ ଲଘୁଚାପ ଜନିତ ବର୍ଷାରେ ଉପକୂଳ ଓଡ଼ିଶା ଭିଜିବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେଶର ସନ୍ଦୀପ ପଟ୍ଟନାୟକ କହିଛନ୍ତି । ସେପଟେ ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ । ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବା ପରେ ଏହା ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବ ।

ଫଳରେ ୧୪ ତାରିଖ ଦିନ ୧୩ ଜିଲ୍ଲା ଯଥା; ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜ ଓ ଢ଼େଙ୍କାନାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତା ୧୫ ତାରିଖ ଦିନ ୧୬ ଜିଲ୍ଲା ଯଥା; ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି । ସେହିପରି ଆସନ୍ତା ୧୬ ତାରିଖରୁ ବର୍ଷା ପରିମାଣ ବଢ଼ିବ । ବିଶେଷ କରି ଦକ୍ଷିଣ ଉପକୂଳବର୍ତ୍ତୀ କିଛି ଜିଲ୍ଲା ସମେତ ଉତ୍ତର ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ୧୬ ତାରିଖ ଦିନ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ରାୟଗଡ଼ା, ଢ଼େଙ୍କାନାଳ ଓ କନ୍ଧମାଳକୁ ୱାର୍ଣ୍ଣିଂ ଜାରି ହୋଇଛି।

ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୧୭ରୁ ବର୍ଷା ପରିମାଣ କମିବ, ଉତ୍ତର ଓଡ଼ିଶାର ୩ ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ହେବା ଆଶଙ୍କା ରହିଛି । ଅନ୍ୟପଟେ ଏହି ଲଘୁଚାପ ଉପକୂଳ ଅତିକ୍ରମ କଲା ପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା ରହିଛି । ବାତ୍ୟା ‘କମ୍ଫାସୁ’ ଭିଏତ୍‌ନାମର ଉପକୂଳ ଛୁଇଁବା ପରେ ତାର ଏକ ଅବଶିଷ୍ଟାଂଶ ଲଘୁଚାପ ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି ।

ଏହାର ଅଧିକାଂଶ ପ୍ରଭାବ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରକୁ ଥିବାବେଳେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଏହାଫଳରେ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଲଗାତାର ତୃତୀୟ ଦିନରେ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଜାରି ରହିଛି । ସମୂଦ୍ର ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ ରାଜ୍ୟର କିଛି ଉପକୂଳ ଜିଲ୍ଲାରେ ଏହା ପ୍ରଭାବ ନଜରକୁ ଆସୁଛି । ନଚେତ୍ ପ୍ରାୟ ୨୦ ଜିଲ୍ଲାରୁ ମୌସୁମୀ ଅପସାରିତ ହୋଇସାରିଛି । ଆସନ୍ତା କିଛି ଦିନ ପାଗ ମେଘୁଆ ରହିବା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking