ଭୁବନେଶ୍ୱର: ସମୁଦ୍ର ଉପରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳ ଉପରେ ଲମ୍ବିଥିବା ଶକ୍ତିଶାଳୀ ଘୂର୍ଣ୍ଣିବଳୟ ଯୋଗୁଁ ଲଘୁଚାପ ସୃଷ୍ଟି ହେବାରେ ବିଳମ୍ବିତ ହେଉଛି । ଫଳରେ ଉତ୍ତର ଆଣ୍ଡାମାନ ସାଗରରେ ଗତ ୧୦ ତାରିଖରୁ ସୃଷ୍ଟି ହେବାକୁଥିବା ଲଘୁଚାପ ଆସନ୍ତା ୧୩ ତାରିଖ ଦିନ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୩ ତାରିଖ ସୁଦ୍ଧା ଏହା ଲଘୁଚାପ ରୂପ ନେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବ । ୧୫ ତାରିଖ ସୁଦ୍ଧା ଏହା ଉପକୂଳରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି ।
ଉକ୍ତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଆସନ୍ତା ୧୪ ତାରିଖରୁ ଉପକୂଳ ଓଡ଼ିଶାରେ ପାଗ ବଦଳିବ । ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ୪୦ରୁ ୫୦ କିମି ମଧ୍ୟରେ ରହିବ । ୧୫ରୁ ବର୍ଷାର ପରିମାଣ ଆହୁରି ବୃଦ୍ଧିପାଇବ । ବିଶେଷ କରି ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ବିଳମ୍ବ ହେବାରୁ ସମ୍ଭାବ୍ୟ ବାତ୍ୟା ଆଶଙ୍କା ସାମାନ୍ୟ ଭାବେ ଟଳିଛି ।
ସମ୍ପୃକ୍ତ ଲଘୁଚାପଟି ଉପକୂଳ ନିକଟରେ ପହଞ୍ଚିବା ପୂର୍ବରୁ ଅବପାତ ଓ ଗଭୀର ଅବପାତ ରୂପ ନେବା ସମ୍ଭାବନା ଅଧିକ ଥିବା ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଗୁଡ଼ିକ ଏବେ ମତ ରଖିଛନ୍ତି । ୱିଣ୍ଡି, ଆମେରିକାର ଜିଏଫ୍ଏସ୍ ମଡେଲ, ୟୁରୋପିଆନ୍ ଇସିଡବ୍ଲୁଏମ୍ଏଫ୍ ମଡେଲ, ସ୍କାଏମେଟ୍ ଆଦି ସଂସ୍ଥା ଏହାକୁ ଏକ ସାମୁଦ୍ରିକ ଝଡ଼ ଆଶଙ୍କା କରିଛନ୍ତି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା ଓ ଗତିପଥର ସଠିକ୍ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଜ୍ଞାନୀମାନେ ପ୍ରକାଶ କରିଛନ୍ତି ।