ଭୁବନେଶ୍ୱର: ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ । ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତଥା ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳରେ ଅକ୍ଟୋବର ପହିଲାରୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟରେ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ଆଜି କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅନୁମାନ କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଦେବଗଡ଼, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଥିବା ମଧ୍ୟ ଅନୁମାନ କରାଯାଉଛି । ସେହିପରି ୩୦ ତାରିଖ ସକାଳୁ ତାପର ଦିନ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ମଧ୍ୟ ରାଜ୍ୟର ଉପକୂଳ ତଥା ଉତ୍ତର ପଶ୍ଚିମ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ।