30.1 C
Bhubaneswar
Saturday, October 5, 2024
Homeଓଡିଶାବାତ୍ୟା ଆଶଙ୍କା, ଚାଲିଛି ମୁକାବିଲା ପ୍ରସ୍ତୁତି

ବାତ୍ୟା ଆଶଙ୍କା, ଚାଲିଛି ମୁକାବିଲା ପ୍ରସ୍ତୁତି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରୀୟ ହେଉଛି । ଏହାର ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି ବାତ୍ୟା ସମ୍ଭାବନା । ତେବେ ଘୂର୍ଣ୍ଣିବଳୟରୁ ଲଘୁଚାପ ଏବଂ ପରେ ଅବପାତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୩ରେ ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ବାତ୍ୟା ଲାଗି ବର୍ତ୍ତମାନର ପାଗ ବେଶ ଅନୁକୁଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟା ଯେଉଁ ଅଞ୍ଚଳ ଦେଇ ଗତି କରିବ ତାହା ଉପରେ ଏହାର ପ୍ରଭାବ ଅଧିକ ପଡିବ । ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟା ସୃଷ୍ଟି ହୋଇପାରେ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ।

ତେବେ ଏହା ୨୨ତାରିଖ ପରେ କେଉଁ ରାଜ୍ୟ ଦେଇ ଗତି କରିବ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ । ଲଘୁଚାପ ରୂପ ନେବା ପରେ ବାତ୍ୟାର ରୂପରେଖ ସମ୍ପର୍କରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ଅପରପକ୍ଷେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଉତ୍ତର-ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳରେ ୫.୮ କିମି ଯାଏ ବ୍ୟାପିଛି । ଏହା ଲଘୁଚାପରେ ପରିଣତ ହେବା ସହ ପରେ ୨୨ ତାରିଖ ବେଳକୁ ଅବପାତ ହେବା ସମ୍ଭାବନା ରହିଛି । ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

୨୨ ତାରିଖଠାରୁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନିମନ୍ତେ ମଙ୍ଗଳବାର ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ଆକଳନ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ସରକାରୀ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡ଼ିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ୨୨ ତାରିଖ ପରେ ବାତ୍ୟାର ସ୍ଥିତି ସ୍ପଷ୍ଟ ହେବାର ଥିବାରୁ ସରକାର ଉପକୂଳ ଜିଲ୍ଲା ଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟିକୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ୍ କରିଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଅସ୍ଥାୟୀ ଦାୟିତ୍ୱରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ(ଏସଆରସି) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ର କେଉଁ ଦିଗରେ ଗତି କରିବ ଏବଂ ତାହାର ତୀବ୍ରତା ଓ ପ୍ରଭାବ ନେଇ ଏପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇନାହିଁ । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏହା ଉପରେ ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ଅଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ବିଭାଗ ଏବଂ ଉପକୂଳ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସାହୁ ଆଜି ପ୍ରାକ୍ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି । ସମ୍ପୃକ୍ତ ପଦାଧିକାରୀମାନଙ୍କୁ ନିଜର ହେଡ଼କ୍ୱାର୍ଟର ନଛାଡିବାପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking