ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହେଉଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଅବପାତ ପରେ ଛତିଶଗଡ଼ ମୁହାଁ ହେବ ଲଘୁଚାପ । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି । ପାଣିିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଉପକୂଳ ଓଡିଶାର ୭ ଜିଲ୍ଲାକୁ ରେଡ ଆଲର୍ଟ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ସାମିଲ ରହିଛି । ଏହି ସବୁ ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି । ସେହିପରି ରାଜ୍ୟର ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ସେହିପରି ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ପାଇଁ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଦେବଗଡ ଏବଂ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୧ ଜିଲ୍ଲାକୁ ଅରେଞ୍ଜ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳରେ ପ୍ରବଳ ବର୍ଷା ସହ ଝଡ ପବନ ସମ୍ଭାବନା ରହିଥିବା ବେଳେ ଘଣ୍ଟା ପ୍ରତି ୪୫ ରୁ ୫୫ ଏବଂ ଆବଶ୍ୟକ ସ୍ଥଳେ ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ବହିବ । ସମୁଦ୍ର ଅଶାନ୍ତ ରହିବା ସହ ୪ରୁ ୬ ମିଟର ଉଚ୍ଚ ଜୁଆର ଆସିବ । ସେଥିପାଇଁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି । ଉପର ମହାନଦୀ, ତଳ ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି ।