19.1 C
Bhubaneswar
Sunday, November 24, 2024
Homeଓଡିଶାନିଆଁ ଢାଳୁଛି ସୂର୍ଯ୍ୟ: ବସ୍ତିରେ ଜଳ ସଙ୍କଟ ସମସ୍ୟାକୁ ବହୁଗୁଣିତ କରୁଛି

ନିଆଁ ଢାଳୁଛି ସୂର୍ଯ୍ୟ: ବସ୍ତିରେ ଜଳ ସଙ୍କଟ ସମସ୍ୟାକୁ ବହୁଗୁଣିତ କରୁଛି

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମରେ ଛଟପଟ ହେଉଛି ସାରା ଓଡ଼ିଶା । ରାଜଧାନୀ ବି ଏଥିରୁ ବାଦ୍ ପଡ଼ିନି। ରାଜଧାନୀରେ ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ଖରାରେ ତ୍ରାହି ତ୍ରାହି ଡାକ ଦେଉଛନ୍ତି । ଜଳ ବୁନ୍ଦାଏ ପାଇଁ ପଶୁପକ୍ଷୀ ଆଉଟୁ ପାଉଟୁ ହେଉଛନ୍ତି । ରାଜଧାନୀରେ ସକାଳ ୯ଟାରେ ଅନୁଭୂତ ହେଉଛି ମଧ୍ୟାହ୍ନର ଖରା । ଗତ ୨ ଦିନ ଧରି ସହରରେ ତାପମାତ୍ରା ୪୦ଂ ସେଲସିୟସରୁ ଅଧିକ ରହୁଥିବାବେଳେ ଶନିବାର ତାପମାତ୍ରା ୪୧.୭ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିବା ପରେ ରାଜଧାନୀବାସୀଙ୍କୁ ଅତିଷ୍ଠ କରିପକାଇଛି । ଦିନରେ ରାସ୍ତାଘାଟ ଜନଶୂନ୍ୟ ହେବାରେ ଲାଗିଛି ।

ଖରାରେ ବୁଲା ବିକାଳିଟିଏ ଗୁଜୁରାଣ ମେଣ୍ଟାଇବା ପାଇଁ ଦ୍ୱାର ଦ୍ୱାର ବୁଲୁଥିଲେ ମଧ୍ୟ ଅସହ୍ୟ ଖରାରେ କିଣାବିକା ପାଇଁ କୌଣସି ଲୋକ ବାହାରକୁ ଆସିବାକୁ ନାରାଜ । ରାସ୍ତା କଡ଼ରେ ଠେଲାଗାଡ଼ି ଧରି ଠିଆହୋଇଥିବା ବେପାରୀଙ୍କ ଯନ୍ତ୍ରଣା ମଧ୍ୟ କିଛି କମ୍ ନୁହେଁ । ବେପାରର ତ ଦୂରର କଥା ଠେଲା ପାଖରେ କିଛି କ୍ଷଣ ଅଟକିବା ପାଇଁ ମଧ୍ୟ ଗ୍ରାହକ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଏପରି ପରିସ୍ଥିତିରେ ବସ୍ତି ବାସିନ୍ଦା ମଧ୍ୟ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି । ଟିଣଘରେ ଅସହ୍ୟ ଖରା ଓ ଗରମରେ ଜୀବନ ଦୁର୍ବିସହ ହୋଇ ଉଠୁଥିବାବେଳେ ବିଭିନ୍ନ ବସ୍ତିରେ ଦେଖାଯାଉଥିବା ଜଳ ସଙ୍କଟ ସମସ୍ୟାକୁ ବହୁଗୁଣିତ କରୁଛି ।

ଅନିୟମିତ ଜଳ ଯୋଗାଣ ବ୍ୟବସ୍ଥା କାରଣରୁ ଅନେକ ବସ୍ତିରେ ସମସ୍ୟା ବଢ଼ିବାରେ ଲାଗିଛି । ତେବେ ଖରାରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜଳଛତ୍ର ଖୋଲାଯିବା ସହ ବିଭିନ୍ନ ଛକ ସ୍ଥାନରେ ପଥଚାରୀଙ୍କୁ ପାନୀୟ ଜଳ ପ୍ରଦାନ କରାଯାଉଛି । କିଛି ସମାଜସେବୀ ବୁଲା ଜୀବଜନ୍ତୁଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଯୋଗାଇବା ପରି ମହତ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ତେବେ ଏପରି ଅସହ୍ୟ ଖରାରେ ସ୍କୁଲ ଫେରନ୍ତା ଶିଶୁ ମଧ୍ୟ ଖରା ସହ୍ୟ କରିପାରୁ ନାହାନ୍ତି । ଶ୍ରମଜୀବୀମାନେ ଖରାରେ କାମ କଲେ ହିଁ ସନ୍ଧ୍ୟାରେ ଚୁଲି ଜଳୁଛି । ଏଣୁ ମୁଣ୍ଡଫଟା ଖରାରେ କାମ କରିବାକୁ ଶ୍ରମିକ ମାନେ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ଯାଯାବର କୁନି କୁନି ଶିଶୁଙ୍କୁ କୋଳରେ ଧରି ଏଣେତେଣେ ବୁଲି ଭିକ୍ଷାବୃତ୍ତି କରୁଥିବା ଦୃଶ୍ୟ ଅନେକଙ୍କୁ ବ୍ୟଥିତ କରୁଛି । ଗାଈଗୋରୁମାନେ ପୋଖରୀ, କେନାଲରେ ଦିନ ତମାମ ବୁଡ଼ି ରହି ନିଜକୁ ଖରା ଦାଉରୁ ରକ୍ଷା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking