14.1 C
Bhubaneswar
Saturday, January 11, 2025
Homeଓଡିଶା୧୩ ସହରରେ ପାରଦ ୧୦ ଡିଗ୍ରୀ ତଳେ : ଥରୁଛି ଓଡ଼ିଶା, ଦାରିଙ୍ଗବାଡ଼ି ୪ ଡିଗ୍ରୀ

୧୩ ସହରରେ ପାରଦ ୧୦ ଡିଗ୍ରୀ ତଳେ : ଥରୁଛି ଓଡ଼ିଶା, ଦାରିଙ୍ଗବାଡ଼ି ୪ ଡିଗ୍ରୀ

ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ଉତ୍ତର-ପଶ୍ଚିମ ଏବଂ ଉତ୍ତର ଦିଗରୁ କ୍ରମାଗତ ଭାବେ ଶୁଷ୍କ ପବନ ପ୍ରବାହିତ ହେଉଛି । ଫଳରେ ରାଜ୍ୟର ଉପକୂଳଠୁ ଉପାନ୍ତ ସବୁଠି ପାରଦ ଖସୁଥିବାବେଳେ ଘନକୁହୁଡ଼ି ଓ ତୁଷାରପାତ ଦେଖିବାକୁ ମିଳୁଛି । ବଡ଼ କଥା ହେଲା ଗତ ୨୪ ଘଣ୍ଟାରେ ରାଜ୍ୟର ୧୩ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଆଗାମୀ ୨ ରୁ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାଗୁଡ଼ିକରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ପରିସ୍ଥିତି ସମ୍ଭାବନା ରହିଛି ।

ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିବା ସହ ସର୍ବନିମ୍ନ ତାପମାତ୍ରାରେ କିଛି ବିଶେଷ ପରିବର୍ତ୍ତନ ନାହିଁ । ୨ରୁ ୩ ଦିନ ପରେ ଏଥିରେ ୨ ରୁ୩ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ଆଗାମୀ ୨ ରୁ୩ ଦିନ ରାଜ୍ୟରେ ରାତି ତାପମାତ୍ରା ସ୍ୱାଭାବିକଠୁ ୪ରୁ ୬ ଡିଗ୍ରୀ ଯାଏ କମ ରହିବ । ଗତ ସପ୍ତାହକ ହେବ ରାଜ୍ୟରେ ଶୀତ ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧିପାଇଥିବାବେଳେ ଆଗକୁ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଆଜି ରାଜ୍ୟର ୪ ଜିଲ୍ଲାରେ ତୀବ୍ର ଶୀତ ଲହରୀ ପରିସ୍ଥିତି ଅନୁଭୂତ ହେବା ସମ୍ଭାବନା ରହିଛି । ଏଥି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ କନ୍ଧମାଳକୁ ସତର୍କ ରହିବାକୁ କୁହାଯାଇଛି ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଯଦିଓ ଶୀତ ସହନୀୟ ତଥାପି ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ ବିଶେଷ ରହିବ । ଏହା ଦ୍ୱାରା ବିଭିନ୍ନ ରୋଗ ତଥା ଥଣ୍ଡା-ଜ୍ୱର, ଥଣ୍ଡା, କାଶ, ନାକରୁ ପାଣି ବାହାରିବା, ଛିଙ୍କ ପ୍ରଭୃତି ଦେଖାଦେବା ସମ୍ଭାବନା ରହିଛି । ଶୀତରୁ ବର୍ତ୍ତିବା ପାଇଁ ରାତି ଓ ପାହାନ୍ତିଆ ସମୟରର ଯଥା ସମ୍ଭବ ଘରେ ରୁହନ୍ତୁ । ତଥା ଶୀତରୁରକ୍ଷା ପାଇ ଁଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପରିଧାନ କରନ୍ତୁ । ଗୃହ-ପାଳିତ ପଶୁ ଦୀର୍ଘ ସମୟ ଧରି ଶୀତ ସଂସ୍ପର୍ଶରେ ଆସିଲେ ସେମାନେ ପ୍ରଭାବିତ ହେବା ସମ୍ଭାବନା ରହିଛି । ତେଣୁ ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ଘରର ବ୍ୟବସ୍ଥା କରନ୍ତୁ ଏବଂ ଖାଦ୍ୟରେ ପୃଷ୍ଟି ସାର ଓ ମିଶ୍ରିତ ଖଣିଜ ଲବଣ ମାତ୍ରା ବଢ଼ାନ୍ତୁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ପ୍ରକାଶ ପାଇଛି । ସେହିପରି ଆସନ୍ତାକାଲି ଆଉ ୧୮ ଜିଲ୍ଲାରେ ଶୀତ ଲହରୀ ପରିସ୍ଥିତି ଅନୁଭୂତ ହେବା ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ଜୋନ୍‌ରେ ରଖାଯାଇଥିବାବେଳେ ଆଗାମୀ ସୂଚନା ସମ୍ପର୍କରେ ଅବଗତ ରହିବାକୁ କୁହାଯାଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡା ଏବଂ କଳାହାଣ୍ଡି ରହିଛି ।

ଆସନ୍ତା ୨୨ ତାରିଖ ଦିନ ମଧ୍ୟ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ଉକ୍ତ ଦିନ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କଟକ, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୩ ତାରିଖରୁ ରାଜ୍ୟରେ ସାମାନ୍ୟ ଶୀତର ପ୍ରକୋପ କମିବା ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ସୂଚନାଯୋଗ୍ୟ, ଜାଡ଼ରେ ସାରା ରାଜ୍ୟ ଥରିବା ସହ ଜନଜୀବନ ଅସ୍ତବ୍ୟସ୍ଥ କରାଉଛି ସକାଳୁ ପଡ଼ୁଥିବା ଘନକୁହୁଡ଼ି ଓ ତୂଷାର କଣା । ଗତ ୨୪ ଘଣ୍ଟାରେ ରାଜ୍ୟର ପହାଡ଼ି ଅଞ୍ଚଳ କନ୍ଧମାଳ, କୋରାପୁଟ, ରାୟଗଡ଼ା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଆଦି ଜିଲ୍ଲାର ଏକାଧିକ ସ୍ଥାନରେ ଘନକୁହୁଡ଼ି ସହ ତୂଷାରପାତ ହୋଇଥିବା ନଜରକୁ ଆସିଛି । ଉପକୂଳରୁ ଆଭ୍ୟନ୍ତର ସବୁଠି କୋହଲା ପବନ ସାଙ୍ଗକୁ ପାରଦ ତଳମୁହାଁ ହୋଇଛି । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ସହ ଶୀତ ଅନୁଭୂତ ହେବ ।

ଗତ ୨୪ ଘଣ୍ଟାରେ ୧୦ ଡିଗ୍ରୀ ତଳେ ଥିବା ସହରଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ି ସର୍ବନିମ୍ନ ୪ ଡିଗ୍ରୀ, ଝାରସୁଗୁଡ଼ା ୫.୬ ଡିଗ୍ରୀ, ଫୁଲବାଣୀ ୬.୫ ଡିଗ୍ରୀ, ସୋନପୁର ୬.୯ ଡିଗ୍ରୀ, କେନ୍ଦୁଝର ୭.୪ ଡିଗ୍ରୀ, ସୁନ୍ଦରଗଡ଼ ଓ ବଲାଙ୍ଗୀର ୮ ଡିଗ୍ରୀ, ଭବାନୀପାଟଣା ୮.୯ ଡିଗ୍ରୀ, ତାଳଚେର, ହୀରାକୂଦ ଓ ସମ୍ବଲପୁର ୯ ଡିଗ୍ରୀ ଏବଂ ବାରିପଦାରେ ପାରଦ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ପୁରୀରେ ରାତିପାରଦ ସର୍ବାଧିକ ୧୬.୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଗୋପାଳପୁରରେ ୧୬.୨ ଡିଗ୍ରୀ ରେକର୍ଡ ହୋଇଛି । ପାରଦ କ୍ରମାଗତ ଭାବେ ତଳକୁ ଖସୁଥିବାବେଳେ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking