ନୂଆଦିଲ୍ଲୀ: ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ୧୯ଟି ରାଜ୍ୟର କୋଭିଡ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ସମସ୍ତ ରାଜ୍ୟର ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶକ ଓ ପ୍ରମୁଖ ସଚିବମାନଙ୍କ ସହ ସେ ବାର୍ତ୍ତାଳାପ କରିଛନ୍ତି । ପ୍ରତ୍ୟେକ ରାଜ୍ୟ ସେମାନଙ୍କର କୋଭିଡ୍ ଟିକାକରଣ ଲକ୍ଷ୍ୟ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇ ସେ କହିଛନ୍ତି, ଏହାଦ୍ୱାରା ଆଗାମୀ କିଛିଦିନ ଭିତରେ ୧୦୦ କୋଟି ଡୋଜ୍ ପ୍ରତିଷେଧକ ଟିକା ଦିଆଯିବାର ଲକ୍ଷ୍ୟ ହାସଲ ହୋଇପାରିବ । ମାଣ୍ଡବ୍ୟ କହିଛନ୍ତି, ପୂଜା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ ନ କଲେ ଏ ପର୍ଯ୍ୟନ୍ତ ହାସଲ କରାଯାଇଥିବା ସମସ୍ତ ସଫଳତା ବିଫଳ ହେବ । ସର୍ବଦା ଦୁଇଟି ବିଷୟ ପ୍ରତି ବିଶେଷ ଧ୍ୟାନଦେବାକୁ ହେବ, ତାହାହେଉଛି କୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ପାଳନ ଓ ପ୍ରତିଷେଧକ ଟିକାକରଣକୁ ତ୍ୱରାନ୍ୱିତ କରିବା । ରାଜ୍ୟଗୁଡ଼ିକ ପାଖରେ ଏବେ ୮କୋଟିରୁ ଅଧିକ କୋଭିଡ୍ ପ୍ରତିଷେଧକ ମହଜୁଦ ଥିବା ବିଷୟ ଦର୍ଶାଇ ଶ୍ରୀ ମାଣ୍ଡବ୍ୟ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଗୁଡ଼ିକ ବିଷୟରେ ଜାଣିବାକୁ ଚାହିଁଥିଲେ ।
ଅନେକ ରାଜ୍ୟର ସହରାଞ୍ଚଳରେ କୋଭିଡ୍ ଟିକାକରଣ ପ୍ରାୟତଃ ସନ୍ତୋଷଜନକ ରହିଛି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପୂଜା ଋତୁରେ କୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ପାଳନକୁ ନିଶ୍ଚିତ କରିବା ପାଇଁ ରାଜ୍ୟ ଓ ପ୍ରଶାସକମାନଙ୍କୁ ନିବେଦନ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର୍ର ପାଳନ କରିବାକୁ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ସେହି ଏସ୍ଓପି ଅନୁସାରେ କଣ୍ଟେନ୍ମେଣ୍ଟ ଜୋନ୍ ଓ ଶତକଡ଼ା ୫ ଭାଗରୁ ଅଧିକ ସଂକ୍ରମଣ ଥିବା ଜିଲ୍ଲା ଗୁଡ଼ିକରେ ଜନସମାଗମକୁ ଅନୁମତି ଦିଆଯିବନାହିଁ। ପ୍ରତ୍ୟେକ ରାଜ୍ୟ ସେମାନଙ୍କର ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ହାରର ଦୈନନ୍ଦିନ ଭିତ୍ତିରେ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେମାନଙ୍କୁ କହିଛି । ଏହାଦ୍ୱାରା ସେହି ଅଞ୍ଚଳଗୁଡ଼ିକରେ ଆଗୁଆ ସତର୍କ ସୂଚନା ଜାରି କରାଯାଇପାରିବ । ଏହାବ୍ୟତୀତ ଅନ୍ଲାଇନ୍ ଦର୍ଶନ ଓ ଭର୍ଚୁଆଲ୍ ଉତ୍ସବ ପାଳନକୁ ଉତ୍ସାହିତ କରାଯିବାକୁ ମଧ୍ୟ କୁହାଯାଇଛି । ରାବଣପୋଡ଼ି, ଦୁର୍ଗାପୂଜା ପଣ୍ଡାଲ, ଦାଣ୍ଡିଆ ଓ ଗର୍ବା ନୃତ୍ୟ ଏବଂ ଛଟ୍ ପୂଜା ଭଳି ସମସ୍ତ ଧାର୍ମିକ ରୀତିନୀତିକୁ ପ୍ରତିକାତ୍ମକ ଭାବେ ପାଳନ କରିବାକୁ କୁହାଯାଇଛି ।