ସିଡ୍ନୀ: ଅଷ୍ଟ୍ରେଲୀୟ ଓପ୍ନର୍ ଡେଭିଡ୍ ୱାର୍ଣ୍ଣର୍ଙ୍କ ଗାଏବ୍ ହୋଇଥିବା ବ୍ୟାଗୀ ଗ୍ରୀନ୍ କ୍ୟାପ୍ ଅନ୍ତିମ ଟେଷ୍ଟ୍ ସରିବା ପୂର୍ବରୁ ମିଳିଯାଇଛି । ଚାରିଦିନି ପୂର୍ବେ ଏହା ଗାଏବ୍ ହୋଇଯାଇଥିଲା ଏବଂ ଏହାକୁ ଫେରାଇବା ପାଇଁ ୱାର୍ଣ୍ଣର୍ ଗୁହାରୀ କରିଥିଲେ । ଏହା ଅଷ୍ଟ୍ରେଲୀୟ ଟିମ୍ ହୋଟେଲ୍ରୁ ମିଳିଛି । ତେବେ ଏହା ସେଠାରେ କିପରି ପହଞ୍ଚିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଶୁକ୍ରବାର ସକାଳେ ୱାର୍ଣ୍ଣର୍ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ପୋଷ୍ଟ୍ କରି କ୍ୟାପ୍ ମିଳିବା ସୂଚନା ଦେଇଛନ୍ତି । ଏଥିରେ ସେ କ୍ୟାପ୍ ଖୋଜିବାରେ ସାମିଲ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ମୁଖପାତ୍ର କହିଛନ୍ତି, ଯେଉଁ ବ୍ୟାଗ୍ରେ କ୍ୟାପ୍ ପ୍ୟାକ୍ କରାଯାଇଥିଲା ତାହା ଟିମ୍ ହୋଟେଲ୍ରୁ ମିଳିଛି । ଏହା ଭିତରେ ଥିବା ସମସ୍ତ ସାମଗ୍ରୀ ପୂର୍ବପରି ମହଜୁଦ ରହିଛି । ବ୍ୟାଗ୍କୁ କିଏ ନେଇଥିଲା ଏବଂ ଏଠାରେ କିଏ ଆଣି ରଖିଛି ସିସିଟିଭି ଫୁଟେଜ୍ରୁ ତାହା ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ, ସିଡ୍ନୀରେ ୱାର୍ଣ୍ଣର୍ କ୍ୟାରିୟର୍ର ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ଖେଳୁଛନ୍ତି ।