ଭୁବନେଶ୍ବର : ଶନିବାର ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜ ସ୍ମାର୍ଟ ୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଯାଇ ମତଦାନ କରିଥିଲେ। ତେବେ ସଚେତନତା ଅଭାବରୁ କେତେକ ଭୋଟର ବୁଥ୍ ଭିତରକୁ ମୋବାଇଲ ଫୋନ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ଏହାର ପାଳନ ନ କରା ଯିବାରୁ ସାମ୍ବାଦିକ ସମ୍ମିଳନୀ କରି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଭୋଟରଙ୍କୁ ସଚେତନ କରାଇଥିଲେ । କୌଣସି ଅଧିକାରୀ ଅବା ଭୋଟର କେହି ମଧ୍ୟ ବୁଥ ଭିରତକୁ ମୋବାଇଲ ନେଇପାରିବେ ନାହିଁ। ଏପରିକି ମେବାଇଲ ଫୋନ୍କୁ ସ୍ୱିଚ୍ ଅଫ୍ କରି କହେି ବୁଥ୍କୁ ନେଇପାରିବେ ନାହିଁ ବୋଲି ସେ ଅପିଲ କରିଛନ୍ତି । ବୁଥ୍ ଭିରତକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ ବାରଣ କରାଯାଇଛି। ରାଜ୍ୟରେ ଆଜି ତୃତୀୟ ପର୍ୟ୍ୟାୟ ଭୋଟ୍। ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ହୋଇଛି। ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି। ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।