ମଣିପୁର: ମଣିପୁରରେ ପୁଣିଥରେ ଅଶାନ୍ତିର ପରିସ୍ଥିତି ଦେଖାଦେଇଛି । ସେନାପତି ସହରରେ ତୀବ୍ର ଉତ୍ତେଜନା ମଧ୍ୟରେ ସୁରକ୍ଷାବାହିନୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଖବର ଆସିଛି । ସୂଚନା ଅନୁସାରେ, ଆସାମ ରାଇଫଲ୍ସ ଓ ନାଗା ସେନା ମଧ୍ୟରେ ପରିସ୍ଥିତିକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା । ଏହା ପରେ ଅଞ୍ଚଳରେ ଉତ୍ତେଜନା ବଢିଥିଲା । ଘଟଣା ସମୟରେ କିଛି ବିକ୍ଷୋଭକାରୀ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ଏକ ସେନା ଟ୍ରକକୁ ଓଲଟାଇ ଦିଆଯାଇଥିବା ବେଳେ ଦୁଇଟି ଗାଡିରେ ନିଆଁ ଲଗାଇ ଦିଆଯାଇଛି । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷା ବାହିନୀ ମୁତୟନ କରାଯାଇଥିବା ବେଳେ ଅଞ୍ଚଳ ଉପରେ କଡା ନଜର ରଖାଯାଇଛି । ମଣିପୁରରେ ଦୀର୍ଘଦିନ ଧରି ଚାଲିଥିବା ଅଶାନ୍ତି ମଧ୍ୟରେ ଏହି ଘଟଣା ପୁଣିଥରେ ଚିନ୍ତା ବଢାଇଛି । ପ୍ରଶାସନ ପକ୍ଷରୁ ଶାନ୍ତି ରକ୍ଷା ପାଇଁ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।










