ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ କିଛିଦିନ ହେବ ଚାରିଆଡେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଲୋକମାନେ ହିଂସା ପ୍ରୟାଣ ହୋଇ ବିଭିନ୍ନ ଦାବି କରିବା ସହ ଉତ୍ତେଜନା ମଧ୍ୟ କରୁଛନ୍ତି । ତେବେ ଏହାକୁ ନେଇ ଏବେ ପଶ୍ଚିମବଙ୍ଗରେ ଦେଖାଦେଇଛି ଉତ୍ତେଜନା ପରିସ୍ଥିତି । ଯେଉଁଥିପାଇଁ ରେଳ ଚଳାଚଳରେ ବ୍ୟାଘାତ ହୋଇଛି । ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରା ନୟାବାଜ ଓ ନଳପୁର ଷ୍ଟେସନ ମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡ଼ିଶା ଆସୁଥିବା ଓ ଓଡ଼ିଶାରୁ ଯାଉଥିବା ଟ୍ରେନ୍ ପ୍ରଭାବିତ ହୋଇଛି । ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ।
ଓଡ଼ିଶା ଦେଇ ଯାଉଥିବା ଟ୍ରେନ ଗୁଡିକୁ ଆଜି ହାଓଡାରୁ ବାତିଲ ହୋଇଛି ।
ସେଗୁଡିକ ହେଲା ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ, ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ, ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ, ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ, ହାଓଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ ଓ ହାଓଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ ।
ସେହିପରି ଯଶୋବନ୍ତପୁର-ହାଓଡା ଦୂରନ୍ତ ଏକ୍ସପ୍ରେସ ଭଦ୍ରକରେ ଅଟକିଛି । ଫଲକନମା ଏକ୍ସପ୍ରେସ ଯାଜପୁରରେ, ଧଉଳୀ ଏକ୍ସପ୍ରେସ କଟକରେ ଅଟକିଛି । ଶତାବ୍ଦୀ ଏକ୍ସପ୍ରେସ ଖଡ଼ଗପୁରରୁ ଓ ଜନଶତାବ୍ଦୀ ମେଛେଦାରୁ ଫେରିବ । ଆଜି ପୁରୀ-ଦିଘା ଏକ୍ସପ୍ରେସକୁ ବାତିଲ କରାଯାଇଛି । ଆସନ୍ତାକାଲି ପୁରୀ-ସଂତ୍ରାଗାଛି ପାସେଞ୍ଜର ଓ ପୁରୀ-ଖୋର୍ଦ୍ଧାରୋଡ୍ ଟ୍ରେନକୁ ବାତିଲ କରାଯାଇଛି । ସେହିପରି କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ । ଆଜି ଭୁବନେଶ୍ୱରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ମେଛେଦାଠାରୁ ଫେରିବ ବୋଲି ଜଣାପଡିଛି ।