ମୟୂରଭଞ୍ଜ(ଘାସିରାମ ବେହେରା) : ‘ସମସ୍ତେ ପଢ଼ନ୍ତୁ, ସମସ୍ତେ ବଢ଼ନ୍ତୁ’ ହେଉକି ‘ବେଟି ବଚାଓ, ବେଟି ପଢ଼ାଅ’ ଭଳି ଶିକ୍ଷାବିଭାଗର ମହତ୍ତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଆଦିବାସୀ ବସ୍ତିବାସିନ୍ଦାଙ୍କ ପାଇଁ ପ୍ରହସନ ପାଲଟିଛି। ଗୋଟେପଟେ ଶିକ୍ଷା ବ୍ୟବସ୍ଥାର ବିସ୍ତାର ଓ ଭିତ୍ତିଭୂମିର ଉନ୍ନତିକରଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି। ସେହିପରି ଶିକ୍ଷାକ୍ଷେତ୍ରରେ ବହୁପଛରେ ଥିବା ଆଦିବାସୀ ବର୍ଗର ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଆସୁଛନ୍ତି ସରକାର। ହେଲେ ଶିକ୍ଷା ବିଭାଗର ଅଦୁରଦର୍ଶିତା ଯୋଗୁଁ ପ୍ରହସନ ପାଲଟିବାକୁ ଯାଉଛି।ମିଳିଥିବା ତଥ୍ୟ ଅନୁଯାୟୀ ୧୯୫୪ ମସିହାରେ ଗାଁରେ ସ୍ଥାପିତ ହୋଇଥିଲା ସରକାରୀ ଇଉପି ସ୍କୁଲ। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାର ବ୍ୟବସ୍ଥା ରହିଥିଲା। ପରବର୍ତ୍ତୀ ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ପକ୍ଷରୁ ଏହାର ଉନ୍ନତିକରଣ କରାଯାଇ ୬ଷ୍ଠ,୭ମ ଓ ୮ମ ଶ୍ରେଣୀ ଖୋଲାଯାଇ ଶିକ୍ଷାଦାନର ସୁବିଧାସୁଯୋଗ ଯୋଗାଇଲେ ସରକାର। ମାତ୍ର ଶିକ୍ଷାଦାନର ପ୍ରକ୍ରିୟା ସ୍ୱାଭାବିକ ଭାବରେ ଚାଲିଥିଲା ବେଳେ ଏବେ ୬ଷ୍ଠ,୭ମ ଓ ୮ମ ଶ୍ରେଣୀ ଏଠାରୁ ଉଚ୍ଛେଦ କରି ସ୍ଥାନାନ୍ତରଣ ପାଇଁ ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି ଗ୍ରାମବାସୀ। ସ୍କୁଲରୁ ୬ଷ୍ଠ,୭ମ ଓ ୮ମ ଶ୍ରେଣୀ ଉଚ୍ଛେଦ ଏବଂ ସ୍ଥାନାନ୍ତରଣରୁ ଶିକ୍ଷାବିଭାଗ ନିବୃତ୍ତ ରହୁ ନଚେତ ଗାଆଁରୁ ସ୍କୁଲ ଉଠାଇନେବାକୁ ଦାବି କରି ଆମ ପିଲା ପାଠ ପଢିବାର ସରକାରୀ ସୁବିଧାସୁଯୋଗ ଅଭାବରୁ ଅଶିକ୍ଷିତ ଏବଂ ମୂର୍ଖ ରୁହନ୍ତୁ ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ। ଏଭଳି ଏକ ନାଟକୀୟ ଘଟଣାଟି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ପଳାଶମୁଣ୍ଡଳୀ ପଞ୍ଚାୟତ ଅଧିନ ହରେକୃଷ୍ଣପୁର ରାଜସ୍ବ ଗ୍ରାମରେ ଦେଖିବାକୁ ମିଳିଛି।
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଆଜିବି ଶିକ୍ଷିତ ତଥା ସ୍ବାକ୍ଷରଙ୍କ ହାର ଆଖିଦୃଶିଆ ସ୍ଥିତିରେ ପହଞ୍ଚି ପାରିନାହିଁ। ଏହାକୁ ଶିକ୍ଷାବିଭାଗ ସାଙ୍ଗକୁ ସାଧାରଣ ପ୍ରଶାସନ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ପଳାଶମୁଣ୍ଡଳୀ ପଞ୍ଚାୟତ ଅଧିନ ଆଦିବାସୀବହୁଳ ହରେକୃଷ୍ଣପୁର ରାଜସ୍ବ ଗ୍ରାମରେ। ଏଠାରେ ୧୯୫୪ ମସିହାରୁ ସ୍ଥାପିତ ହୋଇଥିବା ହରେକୃଷ୍ଣପୁର ଇଉପି ସ୍କୁଲ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ଦାନ କ୍ଷେତ୍ରରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ତେବେ ପରବର୍ତ୍ତୀ ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗର ଅନୁମୋଦନ କ୍ରମେ ହରେକୃଷ୍ଣପୁର ଇଉପି ସ୍କୁଲର ଉନ୍ନତିକରଣ କରାଯାଇ ହରେକୃଷ୍ଣପୁର ଇଉଜିଇଉପି ସ୍କୁଲରେ ପରିଣତ କରି ୬ଷ୍ଠ,୭ମ ଓ ୮ମ ଶ୍ରେଣୀ ଖୋଲାଯାଇ ଶିକ୍ଷାଦାନର ବ୍ୟବସ୍ଥା କରାଗଲା। ଯାହା ଉଚ୍ଚଶିକ୍ଷାକୁ ନେଇ ସ୍ଥାନୀୟ ହରେକୃଷ୍ଣପୁର ଓ ବେଲାଝରି ଗ୍ରାମର ଦୀର୍ଘଦିନରୁ ରହିଆସିଥିବା ଏକ ବଡ଼ ସମସ୍ୟାର ସମାଧାନ କରିବାରେ ସଫଳ ହୋଇଥିଲା। ଅନ୍ୟପକ୍ଷରେ ଭୌଗଳିକ ଦୃଷ୍ଟିରୁ ଦେଖିଲେ ହରେକୃଷ୍ଣପୁର ଓ ବେଲାଝରି ଗ୍ରାମରେ ହାଇସ୍କୁଲ ନ ଥିବାରୁ ଏଠାରେ ନୂତନ ଭାବେ ୯ମ ଓ ୧୦ମ ଶ୍ରେଣୀ ଖୋଲା ଯିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏହାକୁ ବିଚାର କରିବା ବଦଳରେ ଶିକ୍ଷା ବିଭାଗ ପକ୍ଷରୁ ଏଠାରୁ ୬ଷ୍ଠ,୭ମ ଓ ୮ମ ଶ୍ରେଣୀ ଉଚ୍ଛେଦ ସହ ସ୍ଥାନାନ୍ତରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନାପାଇ ଗ୍ରାମବାସୀଙ୍କ ଅସନ୍ତୋଷ ସୃଷ୍ଟି ହେବା ସହିତ ଏଭଳି ପଦକ୍ଷେପକୁ ତୀବ୍ର ବିରୋଧ କରି ଗାଁର ପୁରୁଷ ଓ ମହିଳା ମିଳିତଭାବେ ଏକ ବୈଠକରେ ଏକତ୍ରିତ ହୋଇଥିଲେ।
ହରେକୃଷ୍ଣପୁର ଗ୍ରାମର ଭୌଗୋଳିକ ଅବସ୍ଥିତିକୁ ବିଚାରକୁ ନେଲେ ଏଠାରୁ ୫/୬ କିଲୋମିଟର ଦୂର ଖୁରୁଣ୍ଟିଆ କିମ୍ୱା ପଳାଶମୁଣ୍ଡଳୀ ଉପରେ ୬ଷ୍ଠ,୭ମ,୮ମ,୯ମ ଓ ୧୦ମ ଶ୍ରେଣୀରେ ପାଠ ପଢିବା ପାଇଁ ନିର୍ଭର କରିବାକୁ ପଡ଼ିବ। ଏହାବ୍ୟତୀତ ବାରିପଦା-ଜଳେଶ୍ବର ମୁଖ୍ୟ ରାସ୍ତା ଉପରେ ବୁଦୁବୁଦିଆ ଜଙ୍ଗଲ ଦେଇ ଯିବାକୁ ପଡୁଥିବାରୁ ଛୋଟଛୋଟ ପିଲାଙ୍କୁ ଛାଡିବାକୁ ଅଭିଭାବକମାନେ ସୁରକ୍ଷିତ ମଣୁନାହାନ୍ତି। ଫଳରେ କ୍ଷୋଭପ୍ରକାଶ କରି ଉଚ୍ଛେଦ ପ୍ରକ୍ରିୟା ସହ ସ୍ଥାନାନ୍ତରଣ
ନିଷ୍ପତ୍ତିକୁ ଶିକ୍ଷାବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ। ଯଦି ନିଷ୍ପତ୍ତି ଅଟଳ ରହେ ତେବେ ଏଠାରୁ ସମ୍ପୁର୍ଣ୍ଣ ସ୍କୁଲ ଉଚ୍ଛେଦ କରାଯାଉ। ଆମ ପିଲାମାନେ ଶିକ୍ଷା ଅଭାବରୁ ଅଶିକ୍ଷିତ ମୁର୍ଖ ରହି ଛେଳି, ଗୋରୁ ଚରାନ୍ତୁ।
ହାଇସ୍କୁଲ ଶିକ୍ଷା ବ୍ୟବସ୍ଥା ପାଇଁ ବାସ୍ତବକ୍ଷେତ୍ରରେ ହରେକୃଷ୍ଣପୁର ଓ ବେଲାଝରି ଗ୍ରାମର ପିଲାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ବିଚାରକୁନେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଏବଂ ସାଂସଦ, ଶିକ୍ଷା ବିଭାଗ ହସ୍ତକ୍ଷେପ କରି ଉଚ୍ଛେଦ ଓ ସ୍ଥାନାନ୍ତରଣ ନିଷ୍ପତ୍ତି ପ୍ରତ୍ୟାହାର ସହ ୯ମ ଓ ୧୦ମ ଶ୍ରେଣୀ ଖୋଲିବାକୁ ଅନୁମତି ପ୍ରଦାନ କରି ସ୍କୁଲ ପରିସରରେ ବାଳକବାଳିକା ଛାତ୍ରାବାସ ନିର୍ମାଣର ବ୍ୟବସ୍ଥା କରି ବହୁ ପୁରାତନ ହରେକୃଷ୍ଣପୁର ଇଉଜିଇଉପି ସ୍କୁଲର ଉନ୍ନତିକରଣ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ସରକାର ଆମର ନାର୍ଯ୍ୟଦାବୀକୁ ଉପେକ୍ଷା କଲେ ବାଧ୍ୟହୋଇ ବାରିପଦା-ଜଳେଶ୍ବର ମୁଖ୍ୟରାସ୍ତା ହରେକୃଷ୍ଣପୁର ଠାରେ ଅବରୋଧ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।