ଭୁବନେଶ୍ୱର: ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ସନ୍ଧ୍ୟା ୭ଟା ୨୦ରେ ପରଲୋକ ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଥିଲେ । ପରଲୋକ ନେଇ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ଅରୁଣ ନିର୍ବାଚିତ ହୋଇ ଗତ ବର୍ଷ ବିଜେଡ଼ିକୁ ଫେରିଥିଲେ । ଅରୁଣ ଦେ ୧୯୭୧ରେ ସିପିଆଇରେ ଯୋଗ ଦେଇଥିଲେ । ୧୯୭୪, ୧୯୮୦ ଓ ୧୯୯୦ରେ ସେ ତିନିଥର ସିପିଆଇରୁ ପ୍ରତିନିଧିତ୍ୱ କରି ବିଧାୟକ ହୋଇଥିଲେ । ୩ଥର ଏନସିପିରୁ, ଥରେ ଓଜିପିରୁ ଓ ଥରେ ସ୍ୱାଧୀନ ଭାବରେ ଜିତିଥିଲେ । ୧୯୯୫ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ । ୨୦୧୪ ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ବିଜେଡ଼ିର ଜୀବନ ପ୍ରଦୀପ ଦାସଙ୍କଠାରୁ ହାରି ଯାଇଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ସେ ଏନସିପି ଟିକେଟରୁ ଲଢିଥିଲେ । ଅରୁଣ ଦେ’ଙ୍କ ବିୟୋଗରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଗଣ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।