କଟକ: କଟକ ବଡ ଡାକ୍ତରଖାନାରେ ଟିକାକରଣକୁ ନେଇ ଶନିବାର ପୂର୍ବାହ୍ଣରେ ଉତ୍ତେଜନା ପ୍ରକାଶ ପାଇଛି । ଅନୁରୂପ ଭାବେ ସିଟି ହସ୍ପିଟାଲ୍ରେ ମଧ୍ୟ ଏପରି ବିଶୃଙ୍ଖଳା ପରିଲକ୍ଷିତ ହୋଇଛି । ଅନ୍ଲାଇନ୍ ବୁକିଂ କରିଥିବା ଲୋକ ଓ ଅଫ୍ଲାଇନ୍ ଲୋକମାନଙ୍କୁ ଏକ ସମୟରେ ଗୋଟିଏ ସ୍ଥାନରେ ଟିକା ଦିଆଯିବା ଯୋଗୁ ହସ୍ପଟାଲ୍ ଗୁଡିକରେ ଆଜି ଗହଳି ହୋଇଥିଲା । ଫଳରେ ଏପରି ଉତ୍ତେଜନା ଏସ୍ସିବି ଓ ସିଟି ହସ୍ପିଟାଲ୍ରେ ଦେଖା ଦେଇଥିଲା । ଭିଡ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା କମିଥିଲା ବେଳେ ଭିଡ ନିୟନ୍ତ୍ରିତ ହୋଇଥିଲା ।
ସୂଚନା ଅନୁଯାୟୀ, କଟକ ବଡ ଡାକ୍ତରଖାନାରେ ୧୮ରୁ ୪୪ ବର୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବା ସହ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଥିଲା । ତେବେ ଅପରାହ୍ନ ୩ଟା ପରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ବୋଲି ଘୋଷଣା ହେବା ପରେ ଭିଡ କମିଥିଲା । ଏ ସମ୍ପର୍କରେ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ଯେ ଟିକାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିବାରୁ ଏପରି ଭିଡ଼ ହେଉଛି । କରୋନାରୁ ବଞ୍ଚିବାର ଏକମାତ୍ର ଉପାୟ ଟିକା ବୋଲି ଲୋକମାନେ ବୁଝି ସାରିଲେଣି ।
ସିଏମ୍ସିର ଏନ୍ଫୋର୍ସମେଣ୍ଟ ଅଧିକାରୀ ପରେଶ କୁମାର ନାୟକ କହିଛନ୍ତି ଯେ କଟକରେ ମର୍କତନଗର, କଟକ ବଡ ଡାକ୍ତରଖାନା, ଚାଉଳିଆଗଞ୍ଜ, ବିଡାନାସୀ ସମେତ ମୋଟ ୧୬ ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ପ୍ରଥମ ଓ ଦ୍ୱିତୀୟ ଡୋଜ୍କୁ ମିଶାଇ ୫ ହଜାର ୫ ଶହ ଲୋକଙ୍କୁ ଟିକା ଦିଆଯାଇଛି । ଏଥିମଧ୍ୟରୁ ବଡ ଡାକ୍ତରଖାନାରେ ୧୪ ଶହ ଓ ବିଡାନାସୀରେ ୪୭୦ ଜଣ ବସ୍ତିବାସିନ୍ଦାଙ୍କୁ ଟିକା ପ୍ରଦାନ କରାଯାଇଛି ।