ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀର ସାହସ୍ତ୍ରାଲ ହ୍ରଦରେ ଘଟିଥିବା ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ୨୨ ଜଣ ଲୋକ ଦୁଃସାହସିକ ଯାତ୍ରା କରିବାକୁ ବାହାରିଥିଲେ। ୧୫ ହଜାର ଫୁଟ ଉଚ୍ଚତାରେ, ହଠାତ୍ ଖରାପ ପାଗ ଯୋଗୁ ଏଭଳି ବଡ ବିପର୍ଯ୍ୟୟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି। ହାଡ଼ଭଙ୍ଗା ଶୀତରେ, ଦୁଃସାହସିକ ଯାତ୍ରୀ ଦଳ ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ପ୍ରବାହିତ ଝଡ଼ରେ ବାଟ ହରାଇଥିଲେ। ସୂଚନା ଅନୁଯାୟୀ, ଏହି ଟ୍ରାକିଂ ଦଳ ୨୯ ମେ’ ଅଭିଯାନ ଆରମ୍ଭ କରିଥିଲେ। ୭ ଜୁନ୍ ସୁଦ୍ଧା ଦଳର ଫେରିବାର ଯୋଜନା ଥିଲା। କିନ୍ତୁ ଜୁନ୍ ୪ରେ ଖରାପ ପାଗ ଅସୁବିଧା ଆଣିଥିଲା ଏବଂ ଦଳ ବାଟ ହରାଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫର ଦୁଇଟି ଟିମ୍ ପଠାଯାଇଥିଲା। ହିମାଳୟ ଭ୍ୟୁ ଟ୍ରାକିଂ ଏଜେନ୍ସି, ମେନେରୀ ଅନୁଯାୟୀ, ୨୨ ଜଣ ଦୁଃସାହସିକ ଯାତ୍ରୀଙ୍କ ମଧ୍ୟରେ କର୍ଣ୍ଣାଟକର ୧୮ ଜଣ, ମହାରାଷ୍ଟ୍ରର ଜଣେ ଏବଂ ତିନି ଜଣ ସ୍ଥାନୀୟ ଗାଇଡ୍ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ୯ ମୃତଦେହକୁ ଅଣାଯାଇଛି। ସୂଚନା ମିଳିଥିଲା ୨୨ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ସ୍ୱାସ୍ଥ୍ୟ ଟ୍ରାକିଂର ମଧ୍ୟଭାଗରେ ଖରାପ ହୋଇଯାଇଥିଲା ଏବଂ ସେମାନେ କଲ୍ୟାଣ ବେସ୍ କ୍ୟାମ୍ପକୁ ଫେରିଥିଲେ। ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନା ହେଲିକପ୍ଟରର ସହାୟତା ମଧ୍ୟ ନିଆଯାଇଥିଲା। ସାହସ୍ତ୍ରାଲ୍ ହ୍ରଦ ଟ୍ରେକ୍ ଦେବତାଙ୍କ ହ୍ରଦ ତଥା ସାତ ହ୍ରଦ ଟ୍ରେକ୍ ଭାବରେ ମଧ୍ୟ ଜଣାଶୁଣା। ଉତ୍ତରକାଶୀ ଜିଲ୍ଲାରେ ଥିବା ଏହି ଉପତ୍ୟକା ବହୁତ ସୁନ୍ଦର ଏବଂ ଦେବତାଙ୍କ ହ୍ରଦ ଏଠାରେ ରହିଛି। ଦେବତାଙ୍କ ହ୍ରଦକୁ ଯିବା ରାସ୍ତାରେ ଆହୁରି ଅନେକ ହ୍ରଦ ଅଛି। ଏହା ସର୍ବଦା ଟ୍ରାକରମାନଙ୍କ ପାଇଁ ଉତ୍ସାହର କେନ୍ଦ୍ର ହୋଇ ରହିଥାଏ। ଏଥି ସହିତ, ଉତ୍ତରାଖଣ୍ଡର ଲୋକଙ୍କ ପାଇଁ ଏହାର ଆଧ୍ୟାତ୍ମିକ ମହତ୍ତ୍ବ ମଧ୍ୟ ରହିଛି। ପ୍ରତିବର୍ଷ ସ୍ଥାନୀୟ ଲୋକମାନେ ପରମ୍ପରା ଅନୁସାରେ ଦେବତାଙ୍କୁ କାନ୍ଧରେ ନେଇ ହ୍ରଦରେ ବୁଲନ୍ତି । ଏହି ହ୍ରଦ ବିଷୟରେ ଏକ କାହାଣୀ ମଧ୍ୟ ଅଛି। ଯାହା ଅନୁସାରେ ପ୍ରଭୁ ବିଷ୍ଣୁ ପୂଜା ଅର୍ଚ୍ଚନା କରିବା ପାଇଁ ଏଠାରେ ଏକ ହଜାର ଫୁଲ ଅର୍ପଣ କରିଥିଲେ। ‘ଦେବତାଙ୍କ ହ୍ରଦ ଦେଖିବାର ଆଗ୍ରହ ଯୋଗୁ ୯ ଜଣଙ୍କ ଜୀବନ ଯାଇଛି।