ଫ୍ଲୋରିଡା : ୟୁଏସ୍ଏ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ କୋଭିଡ୍-୧୯ ସଂକ୍ରମଣ କାରଣରୁ ବାତିଲ କରି ଦିଆଯାଇଛି । ସିରିଜ୍ ପ୍ରାରମ୍ଭରେ ୟୁଏସ୍ଏ ଷ୍ଟାଫ୍ ଓ ଅମ୍ପାୟାରିଂ ଷ୍ଟାଫ୍ କୋଭିଡ୍ ପଜିଟିଭ୍ ହେବା ପରେ ପ୍ରଥମ ମ୍ୟାଚ୍କୁ ବାତିଲ କରାଯାଇଥିଲା । ସିରିଜ୍ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଡିସେମ୍ବର ୨୯ ଓ ୩୦ ତାରିଖରେ ଖେଳାଯିବାକୁ ଥିଲା । ମାତ୍ର ଏହା ପୂର୍ବରୁ ଆୟରିଶ୍ ଷ୍ଟାଫ୍ର ଦୁଇଜଣ ସଦସ୍ୟ ମହାମାରୀରେ ସଂକ୍ରମିତ ହେବା ପରେ ଉଭୟ ବୋର୍ଡର ସହମତିରେ ସିରିଜ୍କୁ ବାତିଲ ଘୋଷଣା କରାଯାଇଛି । ଅବଶ୍ୟ ଖେଳାଳିଙ୍କ ନମୁନା ନେଗେଟିଭ୍ ଆସିଥିଲେ ମଧ୍ୟ ଆୟର୍ଲାଣ୍ଡର ଦୁଇଜଣ ଷ୍ଟାଫ୍ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସିରିଜ୍ ବାତିଲ ହେବା ପରେ ୟୁଏସ୍ଏ କ୍ରିକେଟ୍ ବିଶେଷ ଭାବେ ନିରାଶ ହୋଇଥିବା ବୁଧବାର ଏକ ବୟାନରେ କହିଛି । ଏବେ ଆୟର୍ଲାଣ୍ଡ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ଖେଳିବା ପାଇଁ ଡିସେମ୍ବର ୩୧ ତାରିଖରେ ଫ୍ଲୋରିଡାରୁ କିଙ୍ଗଷ୍ଟନ୍ ଓ ଜାମାଇକା ଗସ୍ତ କରିବ । ତେବେ କୋଭିଡ୍ ସଂକ୍ରମିତ ଦୁଇ ଷ୍ଟାଫ୍ ଫ୍ଲୋରିଡାରେ କ୍ୱାରେଣ୍ଟାଇନ୍ରେ ରହିବେ ଏବଂ ଏହି ଅବଧି ଶେଷ ହେବା ପରେ ସେମାନେ ଟିମ୍ ସହ ସେଠାରେ ଯୋଗଦେବେ ।