27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଗୋଆରେ ୭୯%, ଉତ୍ତରାଖଣ୍ଡରେ ୬୩% ମତଦାନ: ୟୁପିର ୨ୟ ପର୍ଯ୍ୟାୟରେ ୬୨ ପ୍ରତିଶତ

ଗୋଆରେ ୭୯%, ଉତ୍ତରାଖଣ୍ଡରେ ୬୩% ମତଦାନ: ୟୁପିର ୨ୟ ପର୍ଯ୍ୟାୟରେ ୬୨ ପ୍ରତିଶତ

ନୂଆଦିଲ୍ଲୀ:  ଗୋଆ ଓ ଉତ୍ତରାଖଣ୍ଡ ବିଧାନସଭା ପାଇଁ ସୋମବାର ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଛି । ଏଥିସହିତ ସୋମବାର ଉତ୍ତରପ୍ରଦେଶ (ୟୁପି)ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୫୫ ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗୋଆରେ ୭୯ ପ୍ରତିଶତ, ଉତ୍ତରାଖଣ୍ଡରେ ୬୩ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୬୨ ପ୍ରତିଶତ ମତଦାନ ହୋଇଛି । ଗୋଆ ବିଧାନସଭାର ମୋଟ ୪୦ଟି ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି ।

ଏଠାରେ କ୍ଷମତାସୀନ ବିଜେପିକୁ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡୁଛି । ଗୋଆ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳର ମୋଟ ୩୦୧ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଉତ୍ତରାଖଣ୍ଡର ୭୦ ଆସନ ପାଇଁ ଶାନ୍ତିପୂର୍ଣ୍ଣଭାବେ ଭୋଟଗ୍ରହଣ କରାଯାଇଥିବା ଇସିଙ୍କ ପକ୍ଷରୁ କୁହାଯାଇଛି । ୧୧,୬୪୭ ବୁଥ୍‌ରେ ଭୋଟରମାନେ ୬୩୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ।

ଏଠାରେ ମଧ୍ୟ ବିଜେପି କ୍ଷମତାରେ ଥିବାବେଳେ କଂଗ୍ରେସ ଓ ଆପ୍ ମୁଖ୍ୟ ବିରୋଧୀଭାବେ ଉଭା ହୋଇଛନ୍ତି । ୨୦୧୭ରେ କ୍ଷମତା ଅକ୍ତିଆର କରିବା ପରଠାରୁ ଉତ୍ତରାଖଣ୍ଡରେ ବିଜେପିର ତିନିଜଣ ମୁଖ୍ୟମନ୍ତ୍ରୀ ବଦଳି ସାରିଲେଣି । ୨୦୦୦ ମସିହାରେ ଉତ୍ତରାଖଣ୍ଡ ରାଜ୍ୟ ଗଠନ ହେବାପରଠାରୁ ପ୍ରତ୍ୟେକ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ସରକାର ବଦଳୁଥିବାରୁ ଏହା ବିଜେପି ହାଇକମାଣ୍ଡଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅପରପକ୍ଷରେ ଉତ୍ତରପ୍ରଦେଶର ୯ଟି ଜିଲ୍ଲା ଯଥା ଆମ୍‌ରୋହା, ବରେଲି, ବିଜ୍‌ନୋର, ବହାଉଁ, ମୋରାଦାବାଦ, ରାମପୁର, ସାହାରନ୍‌ପୁର, ସମ୍ଭଲ ଓ ଶାହାଜାହାନପୁର ଜିଲ୍ଲାର ୫୫ ଆସନ ପାଇଁ ଶାନ୍ତିପୂର୍ଣ୍ଣ ମତଦାନ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ମୋଟ ୫୮୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking