ଢେଙ୍କାନାଳ : ସଦର ବ୍ଲକ ଅନ୍ତର୍ଗତ ଆରଦା ଗାଁ ରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଗୁହାଳେ ପଶି ୪୨ ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରିଛି ବୋଲି ଗ୍ରାମବାସୀ ସନେ୍ଦହ କହିଁଛନ୍ତି। ଅଜଣା ଜନ୍ତୁର ପାଦଚିହ୍ନକୁ ଗ୍ରାମବାସୀ ଠାବ କରିବା ପରେ ଗ୍ରାମରେ ଭୟ ଓ ଆତଙ୍କରେ ଲୋକ ମାନେ ରହିଛନ୍ତି। ପ୍ରକାଶ ଯେ, ସଦର ବ୍ଲକ ସୋଗରପଶି ଗ୍ରାମ ପଞ୍ଚାୟତ ଆରଦା ଗାଁର ଚାଷୀ ସାଧୁଚରଣ ରାଉତଙ୍କ ମେଣ୍ଢାପଲ ଗତକାଲି (ଶୁକ୍ରବାର) ସଂଧ୍ୟାରେ ଚରାବୁଲା କରି ଗୁହାଳେ ଭର୍ତ୍ତି ହୋଇଥିଲେ।
ଶନିବାର ସକାଳ ସାଢେ ୫ଟା ବେଳକୁ ସାଧୁଚରଣଙ୍କ ପତ୍ନୀ ଲଳିତା ଗୁହଳେ ଦେଖିଲା ବେଳକୁ ସବୁତକ ମେଣ୍ଢା ମରିପଡିଛନ୍ତି। ଗାଁ ଲୋକ ଜାଣିବା ପରେ ଅନୁସନ୍ଧାନରୁ ଜଣାପଡୁଛି କି କୈାଣସି ଅଜଣା ଜନ୍ତୁ ଏପରି କାଣ୍ଡ ଭିଆଇଛି। କାରଣ ଏକ ପଶୁର ପାଦ ଚିହ୍ନ ସେଠାରେ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ସାଧୁଚରଣଙ୍କର ଛୋଟବଡ ୪୨ଟି ମେଣ୍ଢା ଥିଲେ। ମେଣ୍ଢା ଚାଷରୁ ସେ ଜୀବିକା ନିର୍ବାହ କରୁଥିଲେ। ଏବେ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ନିଆଳୀ ମେଣ୍ଢା ମଡକ ଓ ସଦ୍ୟ ଆରଦା ଗାଁର ମେଣ୍ଢା ମଡକକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।