ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଶନିବାର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ କରାଯିବ । ତେବେ ଏପ୍ରକାର ଏକ ଅଧିନିୟମକୁ ଲାଗୁ କରାଯିବା ପୂର୍ବରୁ ଏସମ୍ପର୍କୀତ ବିଜ୍ଞପ୍ତି ଜାରି କରାଯିବ । ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଆୟୋଜିତ ଗ୍ଲୋବାଲ୍ ସମ୍ମିଟ୍ରେ ଯୋଗଦେବା ଅବସରରେ ଶାହା ଏହି ସୂଚନା ଦେଇଛନ୍ତି । ଶାହା କହିଛନ୍ତି, ୨୦୧୯ ପୂର୍ବରୁ ଲୋକସଭାରେ ଏହି ବିଲ୍କୁ ପାରିତ କରାଯାଇସାରିଥିଲା । ଅର୍ଥାତ୍ କଂଗ୍ରେସ ସରକାର ସମୟରୁ ହିଁ ଏସମ୍ପର୍କୀତ ଆଇନ୍ ପ୍ରଣୟନ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତତ୍କାଳୀନ କଂଗ୍ରେସ ସରକାର କେବଳ ନିଜ ସ୍ୱାର୍ଥ ଦୃଷ୍ଟିକୋଣରୁ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରିନଥିଲା । ଦେଶବାସୀଙ୍କୁ ସିଏଏ ଭଳି ଏକ ଆଇନ୍ କାର୍ଯ୍ୟକାରୀ କରିବା ଦିଗରେ କଂଗ୍ରେସ ପ୍ରଥମ ରାଜନୈତିକ ଦଳ ଭାବେ ପ୍ରତିଶ୍ରୁତି ଦେଇଥିଲା । ଶାହାଙ୍କ ଅନୁସାରେ ଦେଶ ବିଭାଜନ ସମୟରେ ଭାରତରେ ରହୁଥିବା ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସ ନିଜ ପ୍ରତିଶ୍ରୁତିରୁ ପଛକୁ ହଟିଯାଇଥିଲା । ତେବେ ୨୦୧୯ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ସେହିବର୍ଷ ଡିସେମ୍ବରରେ ସିଏଏ ବିଲ୍କୁ ରାଜ୍ୟସଭାରେ ମଧ୍ୟ ପାରିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଏହି ବିଲ୍ ଏବେ ଏକ ଆଇନ୍ରେ ପରିଣତ ହୋଇସାରିଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିଦିଆଯିବ । ଏହି ଅବସରରେ ଗୃହମନ୍ତ୍ରୀ ଶାହା ସ୍ପଷ୍ଟ କରିଛନ୍ତି ଯେ, ସିଏଏ କୌଣସି ଭାରତୀୟଙ୍କ ନାଗରିକତା ଛଡାଇବା ଉଦ୍ଦେଶ୍ୟରେ ନୁହେଁ ବରଂ ନାଗରିକତା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ । ଶାହା କହିଛନ୍ତି ସିଏଏ ସମ୍ପର୍କରେ ଦେଶରେ କେତେକାଂଶରେ ଅପପ୍ରଚାର କରାଯାଉ ଦେଶର ମୁସଲିମ୍ ଭାଇ, ଭଉଣୀମାନଙ୍କୁ ଭୟଭୀତ କରାଯାଉଛି, ଉତ୍ତେଜିତ କରାଯାଉଛି । ତେବେ ସେମାନେ ଆଶ୍ୱସ୍ତ ରହିବା ଉଚିତ୍ ଯେ ସିଏଏ ଆଇନ୍ରେ ସେଭଳି କୌଣସି ବ୍ୟବସ୍ଥା ନାହିଁ ଯାହାଦ୍ୱାରା ସେମାନଙ୍କୁ ନାଗରିକତା ହରାଇବାକୁ ପଡିବାର ସାମାନ୍ୟତମ ଆଶଙ୍କା ସୃଷ୍ଟି ହେବ । ସିଏଏ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶ, ଆଫ୍ଗାନିସ୍ତାନ ଏବଂ ପାକିସ୍ତାନରୁ ପ୍ରତାଡିତ ହୋଇ ଭାରତରେ ଶରଣ ନେଇଥିବା ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍ ସମେତ ଅଣମୁସଲିମ୍ ବର୍ଗର ସମସ୍ତ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରୁଥିବା ଏକ ଅଧିନିୟମ ବୋଲି ଶାହା ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ, ସିଏଏ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହେବା ପରଠାରୁ ଏପର୍ଯ୍ୟନ୍ତ ଦେଶର ପ୍ରାୟ ୪ଟି ରାଜ୍ୟ ଏହା ବିରୋଧରେ ନିଜ ନିଜ ବିଧାନସଭାରେ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରାଇନେଇଛନ୍ତି । ସର୍ବପ୍ରଥମ ରାଜ୍ୟ ଭାବେ କେରଳ ୨୦୧୯ରେ, ଦ୍ୱିତୀୟ ଓ ତୃତୀୟ ରାଜ୍ୟ ଭାବେ ପଞ୍ଜାବ ଏବଂ ରାଜସ୍ଥାନ ସରକାର ଏବଂ ଚତୁର୍ଥ ରାଜ୍ୟ ଭାବେ ପଶ୍ଚିମବଙ୍ଗ ମଧ୍ୟ ରାଜ୍ୟରେ ସିଏଏ ଲାଗୁ ନକରିବା ଉଦ୍ଦେଶ୍ୟରେ ସଂକଳ୍ପ ପତ୍ର ପାରିତ କରିସାରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ସେ ପଶ୍ଚିମବଙ୍ଗରେ ସିଏଏ, ଏନ୍ପିଆର୍ ଏବଂ ଏନ୍ଆର୍ସି ଭଳି ଆଇନ୍ ଲାଗୁ କରିବା ପାଇଁ ଅନୁମତି ଦେବେ ନାହିଁ । ଏହି ଅବସରରେ ଶାହା, ଅନ୍ୟ କେତେକ ପ୍ରସଙ୍ଗ ଉପରେ ମଧ୍ୟ ମତବ୍ୟକ୍ତ କରିଛନ୍ତି । ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ପ୍ରଧାନମନ୍ତ୍ରୀଙ୍କ ଜାତି ପ୍ରତି କରାଯାଉଥିବା ଟିପ୍ପଣୀକୁ ନେଇ ଉପୁଜିଥିବା ବିବାଦ, ଏନ୍ଡିଏ ବନାମ ଇଣ୍ଡିଆ ମିଳିତ ମଞ୍ଚ, ବିଜେପିର ବିଚାରଧାରା, ଲୋକସଭାରେ ଆଗତ ଶ୍ୱେତପତ୍ର, ଭାରତ ରତ୍ନ, ରାମ ମନ୍ଦିର ନିର୍ମାଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଭଳି ଏକାଧିକ ପ୍ରସଙ୍ଗ ସାମିଲ ଥିଲା । ଏତଦ୍ବ୍ୟତୀତ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନ ଏବଂ ଏନ୍ଡିଏ ମେଣ୍ଟକୁ ୪୦୦ରୁ ଅଧିକ ଆସନ ମିଳିବା ନେଇ ମଧ୍ୟ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଣିଥରେ ଦେଶରେ ବିଜେପି ସରକାର ଗଠନ କରିବ ବୋଲି ଶାହା କହିଛନ୍ତି ।