20.1 C
Bhubaneswar
Tuesday, November 26, 2024
Homeଓଡିଶାକାହା ଚାପରେ ଧର୍ମଶାଳା ତହସିଲଦାର ଓ ଜେନାପୁର ପୋଲିସ୍ ?

କାହା ଚାପରେ ଧର୍ମଶାଳା ତହସିଲଦାର ଓ ଜେନାପୁର ପୋଲିସ୍ ?

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ଦ୍ଵାରା ଗତ ୨ତାରିଖ ଦିନ ଜେନାପୁର ଥାନାରେ ଦାଖଲ ଏକ ଏତଲା (ନଂ ୨୬୩/୨୦୨୧) ଭିତ୍ତିରେ ଜେନାପୁର ଥାନା ପୋଲିସ ଦ୍ବାରା ଏହି ଥାନା ଅନ୍ତର୍ଗତ ରମ୍ପେଇ ଗ୍ରାମର ନରେନ୍ଦ୍ର ରାଉତଙ୍କ ପୁଅ ବଳଦେବ ରାଉତଙ୍କ ଗିରଫଦାରୀ ଘଟଣାରୁ ଏବେ ଏଭଳି ସନ୍ଦେହ ସୃଷ୍ଟି ହୋଇଛି । ରାହାଡ଼ପୁର ୫ ନମ୍ବର କଳା ପଥର ସଇରାତର ଲିଜଧାରୀ ଅକ୍ଷୟ ପରିଡ଼ାଙ୍କ ଦ୍ବାରା ଅନୁମତି ବହିର୍ଭୂତ ମାଲ୍ ଉତ୍ତୋଳନ, ପରିବେଶ ଆଇନକୁ ଉଲଂଘନ କରି ଖଣି ଖନନ ଏବଂ ସେହି ଖଣିରୁ ନିର୍ଗତ ମାଟି ଦ୍ଵାରା ରାଣୀବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୋତି ପକାଇବା ଘଟଣାକୁ ନେଇ ଯାଜପୁର ଜିଲ୍ଲାପାଳଙ୍କଠାରୁ ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟରେ ବଳଦେବଙ୍କ ସମେତ ତାଙ୍କ ଅଞ୍ଚଳବାସୀ ୨୦୨୦ ମସିହା ଡିସେମ୍ବର ମାସରେ ଲିଖିତ ଅଭିଯୋଗ କରିଥିଲେ । ସେମାନଙ୍କଠାରୁ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟହୋଇ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା (ଡ଼ବ୍ଲୁ ପି (ସି) ନମ୍ବର ୩୨୩/୨୦୨୧) ଆଗତ କରିଥିଲେ ।

ହାଇକୋର୍ଟ ସେମାନଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟ ବିଚାରପତି ଡ଼ଃ ଏସ୍ ମୂରଲୀଧର ଏବଂ ବିଚାରପତି ବିଶ୍ଵନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଫେବୃୟାରୀ ୪ତାରିଖ ଦିନ ତାହା ଉପରେ ଏକ ଆଦେଶ ଦେଇଥିଲେ । ସେହି ଆଦେଶରେ ଅପ୍ରେଲ ୫ତାରିଖ ମଧ୍ୟରେ ଆବେଦନକାରୀଙ୍କ ଆପତ୍ତି ଉପରେ ସେମାନଙ୍କଠାରୁ ଶୁଣି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ସଂପର୍କରେ ଅପ୍ରେଲ ୫ତାରିଖ ସୁଦ୍ଧା ଆବେଦନକାରୀଙ୍କୁ ଜଣାଇବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ପ୍ରଶାସକ ମାନେ ଲଘୁ ଖଣିଜ ସମ୍ପଦ ଲୁଟେରାଙ୍କ ବିରୋଧରେ ଯଦି କୌଣସି ପଦକ୍ଷେପ ଗ୍ରହଣ କରିବା ମାନସିକତାରେ ଥାଆନ୍ତେ ତେବେ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଆଗ୍ରହ ନ ଦେଖାଇ ବରଂ ତାଙ୍କ ଜାଣତରେ ହିଁ ହାଇକୋର୍ଟରେ ସେହି ମାମଲାର ଜଣେ ଆବେଦନକାରୀଙ୍କୁ ଏକ ମିଛ ମାମଲାରେ ଫଶାଇ ସଙ୍ଗୀନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରାଯାଇ ନ ଥାନ୍ତା ।

ତେବେ ହାଇକୋର୍ଟଙ୍କ ସେହି ଆଦେଶକୁ ଶୁଣାଣି ପାଇଁ ଏକ ମିସ୍ କେଶ୍ ନମ୍ବର (୧୨/୨୦୨୧) ରୁଜୁ କରି ଚଳିତ ମାସ ୨ତାରିଖ ଗୁରୁବାର ଦିନ ଅପରାହ୍ନ ୪ଟା ବେଳେ ଜିଲ୍ଲାପାଳଙ୍କ ଅଦାଲତରେ ହାଜର ହୋଇ ପକ୍ଷ ରଖିବାକୁ ଅଗଷ୍ଟ ୧୬ତାରିଖ ଦିନ ସମସ୍ତ ଆବେଦନକାରୀଙ୍କୁ ନୋଟିସ୍ ଜାରି କରାଯାଇଥିଲା ବେଳେ ସେହିଦିନ ସକାଳୁ ହିଁ ତହସିଲଦାର ଶ୍ରୀ ଦାସ ଆବେଦନକାରୀଙ୍କ ମଧ୍ୟରୁ ବଳଦେବ ରାଉତଙ୍କୁ ଉଠାଇ ନେଇ ପୋଲିସ୍ ଜିମା ଦେଇ ଏକ ମିଥ୍ୟା ମାମଲାରେ ଛନ୍ଦି ଦେବା ଘଟଣାରେ ପୋଲିସ୍ ଓ ପ୍ରଶାସକଙ୍କ ଭୂମିକାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ବଳଦେବ ବେଆଇନ୍ କଳା ପଥର ଉତ୍ତୋଳନ ଓ ଲୁଟପାଟର ବିରୋଧ କରି ଆସୁଥିବା ସ୍ଥଳେ ବେଆଇନ୍ ଭାବେ କଳା ପଥର ଉତ୍ତୋଳନ ବା ଲୁଟପାଟ କରୁଥିବା ସମ୍ପର୍କରେ ପୂର୍ବରୁ କେବେ ପୋଲିସ୍ କିମ୍ୱା ପ୍ରଶାସନ ନିକଟରେ ତାଙ୍କ ବିରୁଦ୍ଧରେ କୋୖଣସି ଅଭିଯୋଗ ତ ନାହିଁ କିମ୍ୱା ଏତଲାରେ ଉଲ୍ଲେଖ ଥିବା ଅଭିଯୋଗ ଅନୁସାରେ ତୋଟାସିଂ ଗ୍ରାମର ଅଭି ସାହୁଙ୍କ ସହିତ ମିଶି ବଳଦେବ ୧୦ ନମ୍ବର ସଇରାତ୍ ଅଞ୍ଚଳରେ ପରିବେଶ ଆଇନକୁ ଉଲଂଘନ କରି ବେଆଇନ୍ ବିସ୍ଫୋରଣ ଦ୍ଵାରା କଳା ପଥର ଉତ୍ତୋଳନ ଓ ଲୁଟପାଟ୍ ମାଧ୍ୟମରେ ସରକାରୀ ରାଜସ୍ବ ହାନି କରୁଥିବା ନେଇ ପୋଲିସକୁ ବି ସେମିତି କୌଣସି ତଥ୍ୟ କି ପ୍ରମାଣ ମିଳି ପାରି ନ ଥିଲେ ସୁଦ୍ଧା ବିଭିନ୍ନ ସଙ୍ଗୀନ ଅପରାଧିକ କାର୍ଯ୍ୟକଳାପ ଦଫାରେ ତାଙ୍କୁ ଗିରଫ କରି ଶୁକ୍ରବାର ଦିନ ଅପରାହ୍ନରେ ଚଣ୍ଡିଖୋଲ କୋର୍ଟ ଚାଲାଣ କରାଗଲା ଆଉ ଏବେ ସେ ଜେଲ୍ ଜୀବନ ବିତାଉଛନ୍ତି ।

ତଥାପି ଅଭିଯୋଗ ନେଇ କିଛି ବି ପ୍ରମାଣ ଯୋଗାଡ଼ କରିବାର ଏକ ଅପଚେଷ୍ଟା କରିବାକୁ ଯାଇ ଶୁକ୍ରବାର ସକାଳେ ଇନ୍ସପେକ୍ଟର ଶ୍ରବଣ ମହାରଣାଙ୍କ ନେତୃତ୍ୱରେ ପ୍ରାୟ ୨୫ରୁ ଉର୍ଦ୍ଧ୍ବ ସଶସ୍ତ୍ର ପୋଲିସ ଫୋର୍ସ ବଳଦେବଙ୍କ ଘରକୁ ଘେରାବନ୍ଦୀ କରି ପରିବାର ଲୋକଙ୍କୁ ଭୟଭୀତ କରାଇ ଘର ଭିତରେ ତଲାସୀ କରି ବି ପୋଲିସକୁ ନିରାଶ ହେବାକୁ ପଡିଛି । ଅନ୍ୟପକ୍ଷରେ ଜେନାପୁର ଥାନା ଅନ୍ତର୍ଗତ ବାଉଁଶଡୋଳ ଗ୍ରାମର ଯେଉଁ ଟୁନା ସାହାଣୀ ନାମକ ବ୍ୟକ୍ତିର ମୌଖିକ ବୟାନ ସିଆରପିସିର ଧାରା ୧୬୧ରେ ରେକର୍ଡ କରି ତଦନ୍ତକାରୀ ଅଧିକାରୀ କୋର୍ଟକୁ ଦେଇଛନ୍ତି ସେମିତି ବ୍ୟକ୍ତି ସେହି ଗ୍ରାମରେ କେହି ନ ଥିଲା ବେଳେ ସେଥିରେ ପୁଣି ଟୁନା ସାହାଣୀଙ୍କୁ କୌଣସି ସ୍ବର୍ଗତ ରାଧୁ ଦାସଙ୍କ ପୁଅ ଅର୍ଥାତ୍ ଦାସଙ୍କ ପୁଅ ସାହାଣୀ ବୋଲି ଉଲ୍ଲେଖ କରିବା ଘଟଣା ଆହୁରି ଅଧିକ ଆଶ୍ଚର୍ଯ୍ୟ କରିଛି । ତେବେ ଟୁନା ସାହାଣୀ ନାମକ ଜଣେ ବ୍ୟକ୍ତି ରାହାଡ଼ପୁର ଗ୍ରାମରେ ଅଛନ୍ତି ଓ ସେ ଦନେଇ ସାହାଣୀଙ୍କ ପୁଅ ବୋଲି ଜଣାପଡ଼ିଛି ।

ଯଦି ପୋଲିସର ତଦନ୍ତ ପ୍ରକ୍ରିୟା ସଠିକ୍ ଦିଗରେ ଚାଲିଥାନ୍ତା ତେବେ ତଦନ୍ତକାରୀ ଅଧିକାରୀ ସେହି ଟୁନା ସାହାଣୀଙ୍କୁ ହିଁ ଖଣି ଚୋରୀରେ ସମ୍ପୃକ୍ତି ଅଭିଯୋଗରେ ପ୍ରଥମେ ତ ଗିରଫ କରିବା କଥା । କାରଣ ପୋଲିସ ରେକର୍ଡ଼ କରିଥିବା ତାଙ୍କର ସେହି ବୟାନରେ ତ ନିଜେ ହିଁ ସ୍ବୀକାର କରିଛନ୍ତି ଯେ ସେ ବେଆଇନ୍ ଖଣି ଖନନ କାର୍ଯ୍ୟ କରନ୍ତି ଆଉ ତହସିଲଦାରଙ୍କ ଟିମ୍ ସେଠାରେ ଚଢ଼ାଉ କରିଥିଲେ ସେସମୟରେ ବି ସେ ମଧ୍ୟ ସେଠାରେ କାମ କରୁଥିଲେ । ତାଙ୍କ ସ୍ଵିକାରୋକ୍ତି ଆଧାରରେ ତ ତାଙ୍କୁ ଗିରଫ କରାଯାଇ ନାହିଁ କିନ୍ତୁ ତାଙ୍କର ବାକି ସବୁ ବୟାନକୁ ପୋଲିସ୍ ବଳଦେବଙ୍କ ବିରୋଧରେ ଏକ ପ୍ରମାଣର ହତିଆର୍ ଭାବେ ବ୍ୟବହାର କରିବାକୁ ଯେଉଁ ଅପଚେଷ୍ଟା କରିଛି ସେଥିରୁ ତ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଏବେ କିନ୍ତୁ ପୋଲିସ୍ ଓ ପ୍ରଶାସକଙ୍କ ଦ୍ଵାରା କଳା ପଥର ଲୁଟପାଟ କାର୍ଯ୍ୟର ଜଣେ ବିରୋଧୀଙ୍କ ଉପରେ ଏଭଳି ଦମନ ମୂଳକ ପଦକ୍ଷେପ ସମ୍ପର୍କରେ ଖୁବ୍ ଶୀଘ୍ର ହାଇକୋର୍ଟଙ୍କୁ ଅବଗତ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ପୀଡ଼ିତ ବଳଦେବଙ୍କ ଓକିଲ ଆଇନଜୀବି ଶ୍ରୀ ଉଦୟନାଥ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking