ଗାନ୍ଧୀନଗର: ଗୁଜରାଟ ସୁରଟ ସହରର ଏକ ଫ୍ୟାକ୍ଟ୍ରିରେ ଭୟାନକ ହତ୍ୟାକାଣ୍ଡ ଘଟିଛି। ଫ୍ୟାକ୍ଟ୍ରିର ଦୁଇ ଜଣ ଶ୍ରମିକ ମାଲିକଙ୍କ ସମେତ ତିନି ଜଣ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। କାରଖାନାରେ ଏହି ଦୁଇ ଶ୍ରମିକଙ୍କୁ ମାଲିକ ଚାକିରିରୁ ବାହାର କରିଦେଇଥିଲେ। ଏହାପରେ ଅଭିଯୁକ୍ତ ଦୁଇ ଶ୍ରମିକ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଅମରୋଲି ସ୍ଥିତ ଅଞ୍ଜନି ଇଣ୍ଡଷ୍ଟ୍ରିଆଲ୍ରେ ରବିବାର ସକାଳେ ଶ୍ରମିକଙ୍କ ସହ କାରଖାନାର ମାଲିକ କପ୍ଲେସଭାଇଙ୍କ ଭିତରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ଅଭିଯୁକ୍ତମାନେ ମାଲିକଙ୍କ ଉପରେ ଚାଖୁରେ ଆକ୍ରମଣ କରିଥିଲେ। କପ୍ଲେଶଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପିତା ଧନଜୀଭାଇ ଓ ମାମୁଁ ଧନସ୍ୟାଭାଇ ଆସିବାରୁ ଅଭିଯୁକ୍ତମାନେ ସେମାନଙ୍କ ଉପରେ ମଧ୍ୟ ଚାଖୁରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପାଖରେ ଥିବା ଲୋକମାନେ ଆହତ ତିନି ଜଣଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।