ନୂଆଦିଲ୍ଲୀ: ଗୁଜରାଟ ଏଟିଏସ୍ କଶ୍ମୀରର ବାରମୂଳା ଓ ଅନନ୍ତନାଗରୁ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଉଭୟ ଆତଙ୍କୀ ସଂଗଠନ ଲଶ୍କର-ଇ-ତୋଇବା ପାଇଁ କାମ କରୁଥିଲେ । ଗିରଫ ଦୁଇ ଆତଙ୍କବାଦୀ ହେଲେ ବିଲାଲ ଅସଲମ୍ ଓ ମହମ୍ମଦ ହୁସେନ୍ । ଏହା ମଧ୍ୟ ଜଣକ ବିରୋଧ ଗୁଜରାଟର ଯୁବକମାନଙ୍କୁ ପିଓକେ ପଠାଇଥିବା ଅଭିଯୋଗ ରହିଥିବା ବେଳେ ୨୦୦୬ କାଲୁପୁର ବିସ୍ଫୋରଣ ମାମଲାରେ ବିଲାଲ ଅସଲମ୍ ଅନ୍ୟତମ ଅଭିଯୁକ୍ତ । ଅହମ୍ମଦାବାଦର କାଲୁପୁର ବିସ୍ଫୋରଣ ମାମଲାରେ ସେ ୧୫ ବର୍ଷ ଧରି ଫେରାର୍ ଥିଲା । ଗୁଜରାଟ ପୁଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆ କହିଛନ୍ତି, ୨୦୦୬ କାଲୁପୁର ବିସ୍ଫୋରଣ ମାମଲାର ଅଭିଯୁକ୍ତ ବିଲାଲ ଗୋଟିଏ ଟ୍ରେନ୍ରେ ବୋମା ବିସ୍ଫୋରଣ କରିଥିବା ବେଳେ ଅନ୍ୟଟିରେ ଆଇଇଡି ବିସ୍ଫୋରଣ କରିଥିଲା ।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବଶୀର କଶ୍ମୀରର ୨୦୧୫ରେ ପୁଲିସ ସହ ଏନ୍କାଉଣ୍ଟରରେ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ଲଶ୍କର ସହ ସଂଶ୍ଳିଷ୍ଟ ଥିବା ବିଲାଲ ୨୦୦୬ରେ ଭରୁଚ୍ର ଏକ ମଦ୍ରାସାରେ ପଢ଼ାଉଥିଲା ଏବଂ ମଦ୍ରାସାର ଛାତ୍ରଙ୍କୁ ଭାରତ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଉଥିଲା ବୋଲି ଭାଟିଆ କହିଛନ୍ତି । ଅନ୍ୟପକ୍ଷରେ ଶୁକ୍ରବାର ଦକ୍ଷିଣ କଶ୍ମରର ଶୋପିୟାଁ ଜିଲ୍ଲାର ରଖମା ଗାଁରେ ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ଜଣେ ଅଜ୍ଞାତ ଆତଙ୍କବାଦୀର ମୃତ୍ୟୁ ଘଟିଥିôବା ଜଣାଯାଇଛି । ପୁଲିସ୍ ଓ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ରଖ୍ମା ଗାଁରେ ସଂଯୁକ୍ତ ଅଭିଯାନ ଚଳାଇଥିବା ବେଳେ ସଂଘର୍ଷ ଘଟି ଏହି ଆତଙ୍କବାଦୀର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି ।