ଭବାନୀପାଟଣା : ତାମିଲନାଡୁର ଏକ ଇଟା ଭାଟିରେ ଦୁର୍ଘଟଣା ଘଟି କଳାହାଣ୍ଡିର ୨ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଯୁବତୀ ହେଲେ ଗୋଲାମୁଣ୍ଡା ବ୍ଲକ୍ ମାନଝରୀ ଗାଁର ସଜନ ଚଣ୍ଡିଙ୍କ ଝିଅ ପ୍ରମିଳା (୨୦) ଏବଂ ମଙ୍ଗଳ ଚଣ୍ଡିଙ୍କ ଝିଅ ମଦନାବତୀ । ଉଭୟେ ତାମିଲନାଡୁର ଥୁରୁଭାଲୁର ଜିଲ୍ଲା ପୋନେରୀ ତାଲୁକ ଥାନା ମିନକୁରଠାରେ ଏକ ଇଟା ଭାଟିରେ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ମାନଝରୀ ସରପଞ୍ଚ ଗିରିଧାରୀ ତେଜି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ୩୦ ହଜାର ଅଗ୍ରୀମ ଟଙ୍କା ନେଇ ୨ ଯୁବତୀଙ୍କୁ ଉକ୍ତ ଇଟାଭାଟିକୁ ଦାଦନ ଖଟିବାକୁ ଯାଇଥିଲେ । ବୁଧବାର ସକାଳ ୮ ଟାରେ ଇଟା ଭାଟିରେ ଇଟା ଲୋଡ୍ କରିବା ବେଳେ ଟ୍ରକରୁ ଇଟା ଧସି ଉଭୟଙ୍କ ଉପରେ ତାପି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ କେ. ବେଣୁଗୋପାଳ ରାଓଙ୍କୁ ପଚାରିବାରୁ ଏନେଇ ଖବର ପାଇଥିବା ସେ କହିଛନ୍ତି । ତାମିଲନାଡୁରେ ୨ଦାଦନ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ତାଙ୍କୁ ସୂଚିତ କରିଛନ୍ତି । ଘଟଣାର ତଦନ୍ତ କରାଯାଉଛି । ତାମିଲନାଡୁ ଶ୍ରମବିଭାଗ ସହ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରାଯାଉଛି । ଏ ପର୍ଯ୍ୟନ୍ତ ସେଠାରୁ କିଛି ସୂଚନା ହସ୍ତଗତ ହୋଇନାହିଁ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି ।