ଭୁବନେଶ୍ୱର: ସ୍ୱଦେଶୀ ପାରମ୍ପରିକ ଜ୍ଞାନକୌଶଳର ଚିହ୍ନଟ, ବୈଜ୍ଞାନିକ ପ୍ରମାଣନ, ସଂଗ୍ରହଣ ଓ ଡିଜିଟାଲ୍ ସଂରକ୍ଷଣ ବଳରେ ଓଡ଼ିଆ ଜ୍ଞାନଭଣ୍ଡାର ସମୃଦ୍ଧ ହୋଇପାରିବ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନସ୍ଥ ଓଡ଼ିଆ ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ‘ ଦେଶୀୟ ଜ୍ଞାନକୌଶଳ’ ଶୀର୍ଷକ କର୍ମଶାଳାରେ ଅତିଥିମାନେ ଉପରୋକ୍ତ ମର୍ମରେ ମତ ପ୍ରଦାନ କରିଛନ୍ତି । ଆଜି କର୍ମଶାଳାର ଉଦ୍ଯାରପନ କାର୍ଯ୍ୟକ୍ରମରେ ସମାଜସେବିକା ପଦ୍ମଶ୍ରୀ ସାବରମତୀ ସ୍ୱଦେଶୀ ପାରମ୍ପରିକ ଜ୍ଞାନକୁ ଆମର ସାଂସ୍କୃତିକ ଐତିହ୍ୟ ଭାବରେ ବର୍ଣ୍ଣନା କରି ଏହାର ସଂରକ୍ଷଣ ତଥା ପ୍ରୟୋଗ ନିମନ୍ତେ ସାଧାରଣ ନାଗରିକ ଓ ଯୁବପିଢ଼ି ଉଦ୍ୟମ କରିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଆ ଭର୍ଚୁଆଲ ଏକାଡେମାର ସଚିବ ଡ. ପ୍ରଦୀପ କୁମାର ରାଉତ କହିଲେ ଯେ, ଏହି କର୍ମଶାଳାରେ ପ୍ରସ୍ତୁତ ତଥ୍ୟ ଆଧାରରେ ପାରମ୍ପରିକ ଜ୍ଞାନକୌଶଳର ଡିଜିଟାଲ୍ ସଂରକ୍ଷଣ କରାଯିବ ଓ ସେସବୁ ଆଧୁନିକ ପ୍ରଯୁକ୍ତି ତଥା କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ବିକଶିତ ହୋଇ କରାଯାଇ ଏକାଡେମୀର ୱେବ୍ ପୋର୍ଟାଲରେ ଉବଲବ୍ଧ ହେବ । ଡ, ରାଉତ ସମବେତ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ଏକାଡେମୀ କାର୍ଯ୍ୟକଳାପକୁ ବ୍ୟାପକ କରିବାରେ ସହଯୋଗ ନିମନ୍ତେ ପରାମର୍ଶ ଦେଇଥିଲେ ।
ଉଦ୍ଘାଲଟନ କାର୍ଯ୍ୟକ୍ରମରେ ସି.ୱାଇ.ଏସ୍.ଡି.ର ପ୍ରତିଷ୍ଠାତା ଏବଂ ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ ଯୋଗ ଦେଇ ଏପରି କର୍ମଶାଳାର ଗୁରୁତ୍ୱ ଓ ଉପାଦେୟତା ଉପରେ ଆଲୋକପାତ କରିଥିବା ବେଳେ ସଚିବ ଡ. ରାଉତ ପାରମ୍ପରିକ ଜ୍ଞାନକୌଶଳର ସଂରକ୍ଷଣ ଓ ସଂଗ୍ରହଣରେ ବୈଜ୍ଞାନିକ, ବିଶେଷଜ୍ଞ, ଶିକ୍ଷାବିତ୍, ପାରମ୍ପରିକ ବୈଦ୍ୟ, କୃଷକ, ମତ୍ସ୍ୟଜୀବୀ ଓ କାରିଗରମାନଙ୍କର ସହଭାଗିତା ରହିବ ବୋଲି ଆଶା ପ୍ରକଟ କରିଥିଲେ । କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୭୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିବା ବେଳେ ୬ ଟି ବୈଷୟିକ ଅଧିବେଶନରେ ଡ. ବଳରାମ ସାହୁ, ଡ. ହରପ୍ରସାଦ ମିଶ୍ର. ଭଗବାନ ଦାସ, ଡ. ଅମ୍ବିକା ପ୍ରସାଦ ନାୟକ ଓ ରଞ୍ଜନ କୁମାର ମହାପାତ୍ର ସଂସାଧନ ବକ୍ତା ଭାବରେ ଯୋଗ ଦେଇଥିଲେ । କର୍ମଶାଳାରେ କୃଷି, ମତ୍ସ୍ୟ. ପଶୁପାଳନ, ଔଷଧୀୟ ଉଦ୍ଭିଦ, ପାରମ୍ପରିକ ଚିକିତ୍ସା, ବନଜୀବନ, ହସ୍ତଶିଳ୍ପ ଓ ପ୍ରାକୃତିକ ସମ୍ପଦ ପରିଚାଳନା ଉତ୍ୟାଦି ବିଷୟରେ ଆଲୋଚନା ଏବଂ ମତ ବିନିମୟ ହୋଇଥିଲା । କାର୍ଯ୍ୟକ୍ରମର ଆବାହକ ଶ୍ରୀ ସଚ୍ଚିଦାନନ୍ଦ ପଣ୍ଡା ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ବରିଷ୍ଠ ପ୍ରବନ୍ଧକ ସ୍ମୃତିରଞ୍ଜନ ମିଶ୍ର, ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର, ପରାମର୍ଶଦାତା ଡ. ଡି.ଏନ୍ ମହାନ୍ତି, ଦେବାନନ୍ଦ ଭଞ୍ଜ ଓ ସୂର୍ଯ୍ୟରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।










