ବାଲେଶ୍ୱର : ନୀଳଗିରି ବ୍ଲକ୍ ମହିଷାପଟା ଗ୍ରା.ପ.ର ଜାମବଣି ଗାଁରେ ପାନୀୟ ଜଳ ସମସ୍ୟାକୁ ଲାଗିରହିଛି । ବିଗତ ଦିନରେ ଏହି ସମସ୍ୟା ସମ।।ଧାନ ଦାବିରେ ଲୋକେ ଗରା, ବାଲ୍ଟି ଧରି ରାସ୍ତା ଅବରୋଧ କରିଥିଲେ । ମୁଖ୍ୟତଃ ଜାମବଣି ଉପରସାହିରେ ପାଣି ସମସ୍ୟା ରହିଥିବା ବେଳେ ଏହାକୁ ଗୁରୁତ୍ୱ ଦେଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ନୂତନ ପାନୀୟ ଜଳ ଉତ୍ସ ଖନନ ପାଇଁ ରିଗ୍ ମେସିନ୍ ଆସିଥିଲା । ତେବେ ଉପରସାହି ବଦଳରେ ଜାମୁବଣିର ତଳସାହିରେ ମେସିନ୍ ନେଇ ଖନନ କରାଯିବାରୁ ଉପରସାହି ଲୋକେ ଏହାକୁ ବିରୋଧ କରିଥିଲେ । ଫଳରେ ଦୁଇ ସାହି ମଧ୍ୟରେ ପାଟିତୁଣ୍ଡ ସହ ପିଟାମରା ମଧ୍ୟ ହୋଇଥିଲା । ପରେ ନୀଳଗିରି ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ଉପର ସାହିରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ଉକ୍ତ ଗାଁରେ ବୋର୍ୱେଲ୍ ଖନନ କରାଗଲେ କିଛି ଉପକାର ହୋଇ ନଥାନ୍ତା ।
ତଳସାହିରେ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀ ସେଠାରେ ଏକ ବୋରୱେଲ ଖନନ କରି ପାନୀୟ ଜଳ ଯୋଗାଉଥିବା ବେଳେ କାଳକ୍ରମେ ଏହା ଅଚଳ ହୋଇ ପଡ଼ିବାରୁ ଜଳସାହିରେ ମଧ୍ୟ ପାନୀୟ ଜଳର ସମସ୍ୟା ଦେଖିବାକୁ ମଧ୍ୟ ମିଳିଛି । ତଳସାହିରେ ବିଦ୍ୟୁତ୍ ସରବରାହ ରହିଥିବା ଯୋଗୁଁ ଏଠାରେ ବୋରୱୋଲ ଖୋଳା ଯାଉଥିଲା । ଶେଷରେ ସରପଞ୍ଚ ରବୀନ୍ଦ୍ର ସିଂ ଙ୍କ ହସ୍ତକ୍ଷେପ ପରେ ଖନନ କାର୍ଯ୍ୟକୁ ବନ୍ଦ କରି ମେସିନକୁ ଫେରାଇ ଦେଇଥିଲେ । ପରେ ଉଭୟ ସାହିର ଲୋକମାନଙ୍କୁ ନେଇ ଏକ ବୈଠକ ଡକାଯାଇ ଯାହା ନିଷ୍ପତ୍ତି ନିଆଯିବ, ସେହି ଅନୁସାରେ ଖନନ କରାଯିବ ବୋଲି ସରପଞ୍ଚ ରବୀନ୍ଦ୍ର ସିଂ ସୂଚନା ଦେଇଛନ୍ତି ।