ୱାଶିଂଟନ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ୍ ୨୦୨୨ ଅକ୍ଟୋବରରେ ଲୋକପ୍ରିୟ ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର୍ର ମାଲିକାନା ସ୍ୱତ୍ୱ ହାସଲ କରିଥିଲେ । ତେବେ ମସ୍କ୍ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପ୍ରାୟ ୫୦୦ ବିଜ୍ଞାପନଦାତା ଟ୍ୱିଟର୍ରେ ଆଉ ବିଜ୍ଞାପନ ଦେଉନଥିବା ଜଣାପଡିଛି । ଫଳରେ ଚଳିତବର୍ଷ ଜାନୁଆରୀ ୧୭ ସୁଦ୍ଧା ଟ୍ୱିଟର୍ର ବିଜ୍ଞାପନଜନିତ ଦୈନିକ ଆୟ ୪୦ ପ୍ରତିଶତ ହ୍ରାସ ପାଇଥିବା କୁହାଯାଇଛି । ମାଲିକାନା ସ୍ୱତ୍ୱ ହାସଲ କରିବାପରେ ମସ୍କ୍ କମ୍ପାନୀର ସହସ୍ରାଧିକ କର୍ମଚାରୀଙ୍କୁ ଛଟେଇ କରିଥିବାରୁ ବିଜ୍ଞାପନଦାତାମାନେ ଟ୍ୱିଟର ପ୍ରତି ବୀତସ୍ପୃହ ହୋଇପଡିଛନ୍ତି । ତେବେ ଏ ସମ୍ପର୍କରେ ମସ୍କ୍ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।