ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଜାଡ଼ିଙ୍ଗି ଗାଁରେ ଗୁଣି ସନ୍ଦେହରେ ପାଷ୍ଟର ଡମ୍ବୁରୁଧର ମାଝୀଙ୍କ ଉପରକୁ ହୋଇଥିବା ଗୁଳି ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଶନିବାର ପୁଲିସ ଗିରଫ କରିଛି । ଗିରଫ ଜଣକ ଉକ୍ତ ଗାଁର ସାଗର ମାଝୀ ବୋଲି ଜଣାଯାଇଛି । ଗଜପତି ଏସ୍ପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ ଏବଂ ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ମିଳିତ ଉଦ୍ୟମରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପୁଲିସ ଟିମ୍ ସହ ଅଭିଯୁକ୍ତର ଘର ଉପରେ ଚଢଉ କରି ତାକୁ ଧରିବାରେ ସଫଳ ହୋଇଛନ୍ତି ।
ତେବେ ସବୁଠୁ ବଡ଼ କଥା ହେଲା ଯେ, ଅଭିଯୁକ୍ତକୁ ପଚରାଉଚରା ପରେ ସେ ବିଜିକୂପାରୀ ଜଙ୍ଗଲରେ ଲୁଚାଇ ରଖିଥିବା ଗୋଟିଏ ଏକେ-୪୭, ୨୮ଟି ଅଫୁଟା ଗୁଳି ଓ ୨ଟି ମାଗାଜିନକୁ ପୁଲିସ୍ ଜବତ କରିବାରେ ସଫଳ ହୋଇଛି । ପ୍ରକାଶ ଯେ ଅଗଷ୍ଟ ୨୭ରେ ସାଗରର ଏକ ୯ ମାସର ପୁତ୍ର ସନ୍ତାନର ମୃତ୍ୟୁ ହୋଇଥିଲା । ତେବେ ଡମ୍ବୁରୁ ଓ ତାଙ୍କ ବାପା ଗୁଣିଗାରିଡ଼ି କରୁଥିବାରୁ ଏଭଳି ଘଟିଥିବା ଆଶଙ୍କା କରି ଆସୁଥିଲା ସାଗର । ଯାହାକୁ ନେଇ ଗ୍ରାମରେ ବୈଠକ ମଧ୍ୟ ହୋଇଥିଲା ।
ତେବେ ସାଗର ପ୍ରତିଶୋଧ ନେବା ପାଇଁ ଡମ୍ବୁରୁକୁ ମାରିବାକୁ ସୁଯୋଗ ଖୋଜୁଥିଲା । ଏହି କ୍ରମରେ ଗତ ଫେବୃୟାରୀ ୭ରେ ଡମ୍ବୁରୁ କରଡ଼ାବାଡ଼ି ରାସ୍ତାରେ ଯିବା ସମୟରେ ତାଙ୍କ ଉପରକୁ ସାଗର ଗୁଳି ଚାଳନା କରିଥିଲା । କିନ୍ତୁ ସୌଭାଗ୍ୟବଶତଃ ଡମ୍ବୁରୁ ଅଳ୍ପକେ ବର୍ତ୍ତି ଯାଇଥଲେ । ତାଙ୍କ ଦେହରେ ଗୁଳି ନ ବାଜି ତାଙ୍କ ବାଇକରେ ବାଜିଥିଲା ।
ସେଠାରେ ଡମ୍ବୁରୁ ପଡ଼ି ଯାଇଥିବା ବେଳେ ପଥର ସାହାଯ୍ୟରେ ଅଭିଯୁକ୍ତ ଜଣକ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ତେବେ ପ୍ରାଣ ବିକଳରେ ଡମ୍ବୁରୁ ସେଠାରେ ଦୌଡ଼ି ପଳାଇଥିଲେ । ପରେ ପରିବାର ଲୋକେ ବ୍ରାହ୍ମଣିଗାଁ ମେଡିକାଲରେ ତାଙ୍କ ଭର୍ତ୍ତି କରିଥିଲେ । ଘଟଣାର ପରଦିନ ତଥା ୮ ତାରିଖରେ ଡମ୍ବୁରୁ ଏନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଘଟଣା ପରଠୁ ଅଭିଯୁକ୍ତ ସାଗର ଫେରାର ଥିବା ବେଳେ ପୁଲିସ ତାକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ।