36.1 C
Bhubaneswar
Sunday, May 19, 2024
Homeଓଡିଶାନବଜାତ ଶିଶୁର ଶରୀରରୁ ବିରଳ ଟ୍ୟୁମରକୁ ଅସ୍ତ୍ରୋପଚାର ଜରିଆରେ ଅଲଗା କଲେ ସମ୍ ସର୍ଜନ୍

ନବଜାତ ଶିଶୁର ଶରୀରରୁ ବିରଳ ଟ୍ୟୁମରକୁ ଅସ୍ତ୍ରୋପଚାର ଜରିଆରେ ଅଲଗା କଲେ ସମ୍ ସର୍ଜନ୍

ଭୁବନେଶ୍ୱର : ନବଜାତ ଶିଶୁର ଶରୀରର ନିମ୍ନ ଭାଗରେ ଯୋଡି ହୋଇ ରହିଥିବା ମୁଣ୍ଡ ଆକୃତିର ଟ୍ୟୁମରକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରି ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ୍ ।
ଖୋର୍ଦ୍ଧା ଅଂଚଳର ଜନୈକ ଦମ୍ପତିଙ୍କର ଶିଶୁ ପୁତ୍ର ଜନ୍ମ ହେବା ସମୟରେ ତା’ର ମଳଦ୍ୱାର ନିକଟରେ ଏକ ମୁଣ୍ଡ ଆକୃତିର ଟ୍ୟୁମର ଯୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହି ଟ୍ୟୁମର ଅର୍ଥାତ୍ ମାସଂପିଣ୍ଡୁଳା ଟି ମୁଣ୍ଡ ସଦୃଶ ହୋଇଥିବା ବେଳେ ସେଥିରେ ଚର୍ମ, କାନ ଓ କେଶ ମଧ୍ୟ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଏଭଳି ଅବସ୍ଥା ଦେଖି ଶିଶୁପୁତ୍ରର ପରିବାର ତାକୁ ସମ୍ ହସ୍ପିଟାଲ୍‌କୁ ଆଣି ଭର୍ତି କରାଇଥିଲେ । ନବଜାତ ଶିଶୁରୋଗ ବିଭାଗର ଡାକ୍ତର ପ୍ରଥମେ ଶିଶୁଟିର ପରୀକ୍ଷା ନିରୀକ୍ଷା କରିଥିବା ବେଳେ ପରବର୍ତୀ ସମୟରେ ଶିଶୁଶଲ୍ୟ ଡାକ୍ତର ଅସ୍ତ୍ରୋପଚାର ମାଧ୍ୟମରେ ଏହି ଟ୍ୟୁମରଟିକୁ କାଢ଼ିବାର ନିଷ୍ପତି ନେଇଥିଲେ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ପରାମର୍ଶଦାତା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ସମ୍ ହସ୍ପିଟାଲ୍‌ର ଶିଶୁଶଲ୍ୟ ବିଭାଗର ବରିଷ୍ଠ ଖ୍ୟାତିସମ୍ପନ୍ନ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଶିଶୁଟି ଭର୍ତି ହେବାର ୪ ଦିନ ମଧ୍ୟରେ ଅସ୍ତ୍ରୋପଚାର କରାଯାଇଥିଲା ।
ଏହା ଏକ ବିରଳ ଅସ୍ତ୍ରୋପଚାର ଓ ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ ଜାଏଂଟ ସାକ୍ରୋକକିଜିଏଲ୍ ଟେରାଟୋମା କୁହାଯାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ଏହା ଏକ ଜନ୍ମଗତ ତ୍ରୁଟି । ମା ଗର୍ଭବତୀ ହେବାର ୧୫ ରୁ ୩୦ ଦିନ ମଧ୍ୟରେ ଶିଶୁର ଶରୀରରେ ପ୍ରଥମେ ଏକ ଟ୍ୟୁବ୍ ଆକାରର ମେରୁଦଣ୍ଡ ସୃଷ୍ଟି ହୋଇଥାଏ ଯାହାକୁ ନ୍ୟୁରାଲ ଟ୍ୟୁବ କୁହାଯାଏ । ଏହି ନ୍ୟୁରାଲ ଟ୍ୟୁବ୍‌ରେ ଯଦି ମସ୍ତିଷ୍କ, ମାଂସପେଶୀ ଓ ହାଡର ଟିସ୍ୟୁ ଏକାଠି ହୋଇଯାଏ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ଏହି ଶିଶୁଟିର ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରର ଆକାର ୩୫ ସେମି ଓ ଓଜନ ଏକ କେଜି ଥିଲା ବୋଲି ସେ କହିଛନ୍ତି ।
ଏହି ଜଟିଳ ଅପରେସନ୍ ନିମନ୍ତେ ପ୍ରାୟ ଦୁଇ ରୁ ତିନି ଘଂଟା ସମୟ ଲାଗିଥିଲା ବୋଲି ସମ୍ ହସ୍ପିଟାଲ୍‌ର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ସୌଭାଗ୍ୟ ପାଣିଗ୍ରାହୀ କହିଛନ୍ତି । ବିଏସ୍‌କେୱାଇ ଯୋଜନା ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଥିବା ସେ ଜଣାଇଛନ୍ତି ।
ସେହିପରି ସମ୍‌ର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ରାମଚନ୍ଦ୍ର ଦେଓ କହିଥିଲେ ଯେ ନବଜାତ ଶିଶୁରୋଗ ବିଭାଗର ଆଇସିୟୁ ଓ ନିଶ୍ଚେତକ ଟିମ୍‌ଙ୍କର ଏହି ଅସ୍ତ୍ରୋପଚାରକୁ ସଫଳ କରିବାରେ ଅନେକ ସହଯୋଗ ରହିଥିଲା ।
ଏହି ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେବା ନିମନ୍ତେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିଶ୍ଚେତକ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ପ୍ରେରଣା ବିଶ୍ୱାଳ ଉପସ୍ଥିତ ଥିଲେ ।
ଶିଶୁର ଅସ୍ତ୍ରୋପଚାର ପରେ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କୁ ତା’ର ପିତାମାତା କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking