ଭୁବନେଶ୍ୱର: ଟ୍ୟୁସନ୍ ସାର୍ଙ୍କ ନାଁରେ ସାଘାଂତିକ ଅଭିଯୋଗ । ଦୁଇ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି । ବଡ଼ଗଡ଼ ଥାନାରେ ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ଥାନାକୁ ଅଭିଭାବକ ଓ ବହୁ ମହିଳା ଆସି ଅଭିଯୋଗ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ରାଜଧାନୀରେ ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ନେଇ ବିବାହିତ ଟିଉସନ୍ ସାର୍ ଫେରାର ହୋଇଯାଇଥିବାର ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗତ ରବିବାର ଘରେ ଏକ ଚିଠି ଲେଖି ଦୁଇ ନାବାଳିକା ଛାତ୍ରୀ ଘରୁ ପଳାଇ ଯାଇଥିବାର ଅଭିଯୋଗ ହୋଇଛି । ନିଜ ସ୍ତ୍ରୀ ଆଉ ପିଲା ଥାଇ ବି ଦୁଇ ଛାତ୍ରୀଙ୍କୁ ନେଇକି ପଳାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ, ଟିଉସନ୍ ସାର୍ ଗୋପାଳକୃଷ୍ଣ ବାଡାତିୟ ଭୁବନେଶ୍ୱର ବଡ଼ଗଡର ଭାରତୀ ପରିଡାଙ୍କ ଦୁଇ ଝିଅଙ୍କୁ ନେଇକି ରବିବାର ଘରୁ ଫେରାର ହୋଇଯାଇଛନ୍ତି । ଏନେଇ ବଡଗଡ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ନାବାଳିକାଙ୍କ ପତ୍ତା ମିଳିପାରି ନାହିଁ । ଏଣେ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଫେରାର ଘଟଣାରେ ପୋଲିସ ଅପହରଣ ମାମଲା ରୁଜୁ କରିଛି । ନାବାଳିକାଙ୍କୁ ଖୋଜିବା ପାଇଁ ଦୁଇଟି ଟିମ ଗଠନ ହୋଇଛି । ଏହାଛଡ଼ା ନାବାଳିକାଙ୍କ ଘରୁ ମିଳିଥିବା ହ୍ୟାଣ୍ଡନୋଟର ତଦନ୍ତ ଚାଲିଛି । ଉଭୟ ନାବାଳିକା ଉଚ୍ଚାଭିଳାଷୀ ଥିବା ଜଣାପଡୁଛି ବୋଲି ଏସିପି ରଜତ ରାୟ ସୂଚନା ଦେଇଛନ୍ତି ।