ଅମରାବତୀ: ଆନ୍ଧ୍ର ପ୍ରଦଶ ଗୁଣ୍ଟୁର ଜିଲ୍ଲାରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୭ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଉକ୍ତ ଟ୍ରାକ୍ଟରରେ ଯାତ୍ରା କରୁଥିବା ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ଏହି ଯାତ୍ରୀମାନେ ଟ୍ରାକ୍ଟର ଡାଲାରେ ଯାତ୍ରା କରୁଥିଲେ । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ଶୁଖିଲା କେନାଲ ମଧ୍ୟକୁ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ କିଛି ଯାତ୍ରୀ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ଆରମ୍ଭ କରିବା ସହ ପ୍ରଶାସନକୁ ସୂଚନା ଦେଇଥିଲେ । ପୋଲିସ ଡାକ୍ତରୀ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲା । ହେଲେ ଘଟଣାସ୍ଥଳରେ ୪ ଜଣ ଓ ହସ୍ପିଟାଲ ନେବା ବାଟରେ ଆଉ ୩ ଜଣଙ୍କୁ ମିଶାଇ ମୋଟ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ।
ଏକାଧିକ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରାକ୍ଟରରେ ମୋଟ କେତେ ଯାତ୍ରୀ ଥିଲେ ଓ କେତେ ଏବେ ସୁଦ୍ଧା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୃତକ ଗୁଣ୍ଟୁର ଜିଲ୍ଲା ପ୍ରତିପାଦୁ ତାଲୁକାର କୋଣ୍ଡେପାଡୁ ଗ୍ରାମର ନିବାସୀ । ଏମାନେ କୌଣସି ଏକ କାର୍ଯ୍ୟ ପାଇଁ ନିକଟବର୍ତ୍ତୀ ଏକ ଗ୍ରାମକୁ ଟ୍ରାକ୍ଟର ଟ୍ରଲିରେ ଯାଉଥିଲେ । ହେଲେ ଟ୍ରାକ୍ଟରଟି କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା କେନାଲରେ ଖସିପଡିଥିଲା । ଏବେ ସୁଦ୍ଧା ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ମୃତକମାନେ ନଗମା, ମେରାମ୍ମା, ରତ୍ନାକୁମାରୀ, ନିର୍ମଳା, ଝାନ୍ସିରାଣୀ, ସୁହାସିନି ଓ ସାଲୋମୀ ଭାବେ ଚିହ୍ନଟ ମଧ୍ୟ ହୋଇଛନ୍ତି । ସମସ୍ତ ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ହେବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ହସ୍ପିଟାଲରେ ସ୍ଥାନୀୟ ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳିଛି ।