ଗଞ୍ଜାମ: ୨ ଟଙ୍କାରେ କିଲେ ଟମାଟୋ । ମାତ୍ର ୫ ଦିନରେ ଟମାଟୋ ଦର ହୋଇଛି ଅଧା । ଗଞ୍ଜାମରେ ଟମାଟୋର ଅଭାବି ବିକ୍ରି ଚାଷୀଙ୍କୁ କଷ୍ଟ ଦେଉଛି । ପାରିଶ୍ରମିକ ମିଳୁନଥିବା ଯୋଗୁଁ ହେକ୍ଟର ହେକ୍ଟର ଟମାଟୋ ସେଭଳି ଚାଷଜମିରେ ଛାଡ଼ି ପଳାଇଲେ ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ବ୍ଳକର ଡ଼ିଆଁଡ଼େଇଁ ଗାଁରେ । ଗଞ୍ଜାମ ବ୍ଳକର ଡ଼ିଆଁଡ଼େଇଁ, ମଧୁରଚୁଆ, ସିପକୁଦା, ଶ୍ରୀରାମଚନ୍ଦ୍ରପୁର, ହରିପୁର, କଣ୍ଟପଡ଼ା ଭଳି ଅନେକ ଗାଁରେ ଚଳିତ ବର୍ଷ ଭଲ ପନିପରିବା ଚାଷ ହୋଇଛି । ସେହିକ୍ରମରେ ଟମାଟୋ ମଧ୍ୟ ଭଲ ଚାଷ ହୋଇଛି । ଚାଷ ଭଲ ହୋଇଥିବା ଯୋଗୁଁ ଚଳିତ ବର୍ଷ ଟମାଟୋ ବିକ୍ରି ହେଲେ ଋଣ କରିଥିବା ଚାଷୀ ପରିଷୋଧ କରିବ ବୋଲି ଭାବିଥିଲେ । କିନ୍ତୁ ଗତ କିଛି ଦିନ ପୂର୍ବରୁ ଟମାଟୋ ଅମଳ ହୋଇଥିବା ବେଳେ ୧୫ ରୁ ୨୦ ଟଙ୍କାରେ ପ୍ରଥମେ ଟମାଟୋ ବିକ୍ରି ହେଉଥିଲା । କିନ୍ତୁ ହଠାତ୍ ଗତ ୪ ରୁ ୫ ଦିନ ହେଲାଣି ଟମାଟୋର ଦର ଖସି ଆସି ୨ ଟଙ୍କାରୁ ୩ ଟଙ୍କାରେ ମିଳୁଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ।