ଭୋପାଳ : ମଧ୍ୟପ୍ରଦେଶ ଦମୋହ ଜିଲ୍ଲାର ପଥରିଆ ବିକାସଖଣ୍ଡ ଅନ୍ତର୍ଗତ ଦେବରାତ ଗ୍ରାମରେ ଚିତାବାଘ ଆତଙ୍କ ଦେଖାଦେଇଛି । ବାଘ ପାଇଁ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ରହିଥିବା ବେଳେ ଲୋକେ ନିଜ କାମ ପାଇଁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଏଠାରେ ଗତ ବୁଧବାର ସକାଳେ ଜଣେ ଶ୍ରମିକ ଉପରେ ଚିତାବାଘ ଆକ୍ରମଣ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁଯାୟୀ, କ୍ଷେତରେ ଶ୍ରମିକ କାମ କରୁଥିବା ସମୟରେ ବାଘ ଆକ୍ରମଣ କରିଥିଲା । ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ଖବର ପାଇ ପୋଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପହଞ୍ଚିବା ପରେ ପୋଲିସ, ବନକର୍ମଚାରୀ,ଗ୍ରାମବାସୀ ବାଘକୁ ଧରିବା ପାଇଁ ପ୍ରୟାସ କରିବା ସମୟରେ ବାଘଟି ଜଣେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା । ସେହି ଭିଡିଓ ଭାଇରାଲ ହେଉଥିବା ଦେଖାଯାଉଛି । ବାଘଟିକୁ ଖୁବ ଶୀଘ୍ର ଧରାଯାଉ ବୋଲି ଗ୍ରାମବାସୀ କହିଛନ୍ତି । ଉକ୍ତ ବାଘଟି ପନ୍ନା ବ୍ୟାଘ୍ର ଅଭୟାରଣ୍ୟରୁ କିଭଳି ଆସିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାତ୍ର ବାଘ କାରଣରୁ ଭୟର ବାତାବରଣ ସୃଷ୍ଟି ହେବା ସହ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ବନବିଭାଗ ବାଘକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।