ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ୍ କାର୍ଯ୍ୟାଳୟଠାରୁ ମାତ୍ର କିଛି ଦୂରରେ ରହିଛି ଭିନ୍ନକ୍ଷମ ସୁମିତ୍ରାଙ୍କ ଭଙ୍ଗା ଦଦରା ଜରି କୁଡ଼ିଆ ଘର । ଏହି ଜରି କୁଡ଼ିଆରେ ବିତୁଛି ତାଙ୍କ ଜୀବନ । ସୁମିତ୍ରାଙ୍କ ସହ ତାଙ୍କ ରୋଗୀଣା ଝିଅ ଓ ନାତି ରହୁଛନ୍ତି । ସରକାର ବାସହୀନଙ୍କୁ ବାସ ଯୋଗାଇବା ପାଇଁ ଯୋଜନା କରିଛନ୍ତି କିନ୍ତୁ ସୁମିତ୍ରାଙ୍କ କ୍ଷେତ୍ରରେ ଏହି ଯୋଜନା ପାଇବା ସାତସପନ ପାଲଟିଛି । ଯୋଜନାରେ ଘର ପାଇବା ପାଇଁ ସୁମିତ୍ରା ଯୋଗ୍ୟ ହୋଇଥିଲେ ମଧ୍ୟ ଘର ଖଣ୍ଡେ ତାଙ୍କୁ ମିଳିପାରିନାହିଁ । ଫଳରେ ଦୀର୍ଘ ୫ ବର୍ଷ ହେବ ଭଙ୍ଗା ଦଦରା ଘରେ ପଲିଥିନ ଘୋଡ଼ାଇ ବିପଦସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବିଭିନ୍ନ ସମୟରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ହେଲେ ତାଙ୍କ ପ୍ରତି କାହାରି ସୁଦୃଷ୍ଟି ପଡ଼ିନାହିଁ । ଏବେ ଲାଗି ରହିଛି ଲଗାଣ ବର୍ଷା । କେତେବେଳେ ଯେ’ ଏହି କୁଡ଼ିଆ ଭୁଶୁଡ଼ି ପଡ଼ିବ ତା’ର ମଧ୍ୟ ଠିକ ଠିକଣା ନାହିଁ । ଏମିତିରେ ଭଗବାନ ଭରସାରେ ମାଆ, ଝିଅ ଓ ନାତି ଛପର ଘରେ ଦିନ କାଟୁଛନ୍ତି । ହେଲେ ମା’ ଭିନ୍ନକ୍ଷମ ହୋଇଥିବା ବେଳେ ଝିଅ ମଧ୍ୟ ମାନସିକ ରୋଗରେ ପୀଡ଼ିତ । ରୋଜଗାର କହିଲେ କିଛି ନାହିଁ । ମୋହନା ଗ୍ରାମ ପଞ୍ଚାୟତରୁ ୫ କିଲୋ ଟଙ୍କିଖିଆ ଚାଉଳ ମିଳୁଥିଲା । ଏବେ ଚାଉଳ ମଧ୍ୟ ଏବେ ଯୋଗାଣ ବିଭାଗ ବନ୍ଦ କରିଦେଇଛି । ଯାହା ଫଳରେ କିଛି ଲୋକେ ବେଳେ ବେଳେ ରନ୍ଧା ଖାଦ୍ୟ ଦେଉଥିବା ବେଳେ ବହୁ ସମୟରେ ପେଟରେ ଓଦା ଗାମୁଛା ପକାଇ ରହିବାକୁ ପଡୁଛି । ଭାଗ୍ୟକୁ ଆଦରି ଚୁପ୍ ରହିଥିବା ସୁମିତ୍ରା କୋହ ଭରା କଣ୍ଠରେ ସରକାରଙ୍କୁ ସାହାଯ୍ୟର ହାତ ପାତିଛନ୍ତି । ଆମେ ଏନେଇ ମୋହନା ବିଡିଓ କିଶୋର ଦାସଙ୍କ ସହ ସମ୍ପର୍କ କରିବାରୁ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦିଆଯିିବ ବୋଲି କହିଛନ୍ତି । ହେଲେ ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।