ଭୁବନେଶ୍ୱର: ଆଜିର ଜୀବନଶୈଳୀରେ ଲେଟ୍ ନାଇଟ୍ ଜାଗିବା ସାଧରଣ କଥା ହେଲାଣି । ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଛନ୍ତି ଯୁବପିଢୀ ନହେଲେ ମୋବାଇଲରେ ସମୟ ବିତାନ୍ତି । ଯାହା ସେମାନଙ୍କ ଉଭୟ ସ୍ୱାସ୍ଥ୍ୟ ଏବଂ ଆଖି ଉପରେ ପ୍ରଭାବ ପକାଇଥାଏ । ବିଳମ୍ବିତ ରାତି ଯାଏଁ ଉଜାଗର ରହିବା ଦ୍ୱାରା କମ ବୟସରେ ଡାର୍କସର୍କଲ / ଆଖିରେ କଳାଦାଗ ଭଳି ସମସ୍ୟା ଦେଖାଯାଉଛି । ଅତ୍ୟଧିକ ଚାପ ଯୋଗୁଁ ମଧ୍ୟ ଡାର୍କସର୍କଲ ସମସ୍ୟା ହୋଇପାରେ । ତେବେ ପର୍ଯ୍ୟାପ୍ତ ନିଦ୍ରା ନେବା ଏବଂ ଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ କିଛି ବ୍ୟାୟାମ ଅଛି ଏହି ସମସ୍ୟା ଦୂର କରି ପାରିବ ।
ବ୍ଲିକିଙ୍ଗ ଏକ୍ସରସାଇଜ- ଏକ ଆରାମଦାୟକ ସ୍ଥିତିରେ ବସନ୍ତୁ । ବର୍ତ୍ତମାନ ଆପଣଙ୍କର ବାମ ଆଖିକୁ ବନ୍ଦ କରନ୍ତୁ ଏବଂ ଡାହାଣ ଆଖିକୁ ଖୋଲା ରଖନ୍ତୁ । ଏହା ପରେ, ଖୋଲା ଆଖିରେ କାନ୍ଥକୁ ଦେଖନ୍ତୁ । ଏପରି ଅବସ୍ଥାରେ ପନ୍ଦର ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ ଏବଂ ତା’ପରେ ଉଭୟ ଆଖି ଖୋଲନ୍ତୁ । ବର୍ତ୍ତମାନ ଡାହାଣ ଆଖି ବନ୍ଦ କରନ୍ତୁ ଏବଂ ବାମ ଆଖିକୁ ଖୋଲା ରଖି ଏହି ବ୍ୟାୟାମକୁ ପୁନରାବୃତ୍ତି କରନ୍ତୁ । ଆପଣ ଏହାକୁ ଛଅ ରୁ ଆଠ ଥର ପୁନରାବୃତ୍ତି କରିପାରିବେ ।
ଧ୍ୟାନ- ଏହି ଆସନ କରିବା ପାଇଁ, ଏକ ନାଲି କଲମରେ ଏକ କାଗଜ ଉପରେ ଏକ ବୃତ୍ତ ଅଙ୍କନ କରି ସାମ୍ନା କାନ୍ଥରେ ଲଗାନ୍ତୁ । ପରେ ବୃତ୍ତ ସିଧାରେ ବସି ଆଖି ବନ୍ଦ କରି ଧ୍ୟାନ କରନ୍ତୁ । ଏହା ପରେ, ଆଖି ଖୋଲି କାଗଜର ଲାଲ୍ ବୃତ୍ତ ଉପରେ ଧ୍ୟାନ ଦିଅନ୍ତୁ ଏବଂ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଯେତେବେଳେ ଆଖିରୁ ପାଣି ଆସିବା ଆରମ୍ଭ ହେବ, ତା’ପରେ ଆଖି ବନ୍ଦ କରି ଉଭୟ ପାପୁଲି ଘଷନ୍ତୁ ଏବଂ ଆଖିରେ ଲଗାନ୍ତୁ । ଧୀରେ ଧୀରେ ଆଖି ଖୋଲନ୍ତୁ । ଏହି ପ୍ରକ୍ରିୟାକୁ ଚାରି ପାଞ୍ଚଥର ପୁନରାବୃତ୍ତି କରନ୍ତୁ।
ହାତରେ ଆଖିକୁ ଦବାନ୍ତୁ- ଏହି ବ୍ୟାୟାମ ଆଖିର ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସହାୟକ ହୁଏ ଓ ଆଖିକୁ ଆରାମ ଦେବା ପାଇଁ ଏହା ଲାଭଦାୟକ । ଏଥିପାଇଁ ସର୍ବପ୍ରଥମେ ଆଖି ବନ୍ଦ କରି ଏକ ଗଭୀର ନିଶ୍ୱାସ ନିଅନ୍ତୁ । ଏହା ପରେ ଆପଣଙ୍କର ସମସ୍ତ ଆଙ୍ଗୁଠି ଆଖି ଉପରେ ରଖନ୍ତୁ ଏବଂ ହାଲୁକା ଚାପ ପ୍ରୟୋଗ କରନ୍ତୁ ଏବଂ ପ୍ରାୟ ୧୦ ସେକେଣ୍ଡ ପାଇଁ କରନ୍ତୁ । ଆଖିରୁ ଆଙ୍ଗୁଠିକୁ ଧୀରେ ଧୀରେ ବାହାର କରନ୍ତୁ । ଏହି ବ୍ୟାୟାମକୁ ଚାରି ପାଞ୍ଚଥର ପୁନରାବୃତ୍ତି କରନ୍ତୁ ।