40.1 C
Bhubaneswar
Monday, June 17, 2024
Homeଓଡିଶାତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ହାର ୫୯.୬୦%; ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ହାର ୫୯.୬୦%; ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ଭୁବନେଶ୍ୱର: ଇଭିଏମ୍ ଭଙ୍ଗା, ଇଭିଏମ୍ ତୃଟି, ଅଧିକାଂଶ ସ୍ଥାନରେ ଗଣ୍ଡଗୋଳ, ପ୍ରଚଣ୍ଡ ଖରା ଯୋଗୁଁ ଅଚେତ୍ ଓ ପୋଲିଂ ଅଧିକାରୀଙ୍କ ଅକାଳ ମୃତ୍ୟୁ ଘଟଣା ଭିତରେ ଶେଷ ହୋଇଛି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୫୯.୬୦% ରହିଛି । ଚୂଡ଼ାନ୍ତ ତଥ୍ୟ ସଂଗ୍ରହ ପରେ ମତଦାନ ହାର ଆହୁରି ବଢ଼ିବ । ତେବେ ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମୋଟ୍ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଛି । ଏଥିରେ ବହୁ ହେଭିୱେଟ୍ ପ୍ରାର୍ଥୀ ଅନ୍ତର୍ଭୁକ୍ତ । ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି), ଭର୍ତ୍ତୃହରି ମହତାବ, ସମ୍ବିତ୍ ପାତ୍ର, ଅରୂପ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀ, ସନ୍ତୃପ୍ତ ମିଶ୍ର,ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଜୟନାରାୟଣ ମିଶ୍ର, ବଦ୍ରିନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଞ୍ଜୟ ଦାସବର୍ମା ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଅନ୍ୟତମ ।

ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି ଯେ କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଓ କାଁ ଭାଁ ଗଣ୍ଡଗୋଳ ସତ୍ତ୍ୱେ ଶାନ୍ତି ଓ ଶୃଙ୍ଖଳାର ସହ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । କେତେକ ବୁଥ୍‌ରେ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ କରିବା ପାଇଁ ଭୋଟରମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ । ନିର୍ଦ୍ଧାରିତ ମତଦାନ ସମୟ ସୁଦ୍ଧା ବୁଥ୍‌ରେ ଥିବା ସମସ୍ତ ଭୋଟର ମତଦାନ କରିଥିଲେ । ସକାଳୁ ମକ୍‌ପୋଲ୍ ସମୟରେ ଅଳ୍ପକିଛି ସ୍ଥାନରେ ଇଭିଏମ୍ ମେସିନ୍‌ରେ ତ୍ରୁଟି ଦେଖାଯାଇଥିବାରୁ ତୁରନ୍ତ ତାହା ବଦଳା ଯାଇଥିଲା ଏବଂ ମତଦାନ ସ୍ୱାଭାବିକ ଭାବେ ଚାଲିଥିଲା । ପୋଲିଂ ଆରମ୍ଭ ହେବା ପରେ ସ୍ୱଳ୍ପ କିଛି ଇଭିଏମରେ ତ୍ରୁଟି ଦେଖାଦେଇଥିଲା ଏବଂ ସେଗୁଡ଼ିକୁ ବଦଳା ଯାଇଥିଲା । ସେସବୁ ବୁଥ୍‌ର ଭୋଟରମାନେ ଧୈର୍ଯ୍ୟର ସହ ଅପେକ୍ଷା କରିଥିବାରୁ ଭୋଟରମାନଙ୍କୁ ସାଧୁବାଦ ଜଣାଯାଇଛି ।

ଶ୍ରୀ ଧଳ କହିଛନ୍ତି ଯେ ଏହି ପର୍ଯ୍ୟ।।ୟରେ କଟକ, ସମ୍ବଲପୁର, କେଉଁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ଅପରାହ୍ଣ ୩ଟା ସୁଦ୍ଧା ୪୮.୪୪% ମତଦାନ ହୋଇଥିଲା । ଅନୁଗୁଳ ଜିଲ୍ଲାରେ ୫୩.୧୩% ମତଦାନ ହୋଇଥିବାବେଳେ କଟକ ଜିଲ୍ଲାରେ ୪୨.୧୧%, ଦେବଗଡ଼ରେ ୫୬%, ଢେଙ୍କାନାଳରେ ୪୭.୮୯%, କେନ୍ଦୁଝରରେ ୫୩.୬୧%, ଖୋର୍ଦ୍ଧାରେ ୪୩.୩୭%, ମୟୂରଭଞ୍ଜରେ ୫୧.୦୫%, ନୟାଗଡ଼ରେ ୪୬.୭୬% ମତଦାନ ହୋଇଥିଲା । ସେହିପରି ମୋଟ୍ ୯୪ ଲକ୍ଷ ୪୮,୫୫୩ ଜଣ ମତଦାତାଙ୍କ ମଧ୍ୟରୁ ଅପରାହ୍ନ ୫ଟା ସୁଦ୍ଧା ମତଦାନ ହାର ୫୯.୬୦% ଥିଲା ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବେଗୁନିଆରେ ୬୫.୭୦%, ଚିଲିକାରେ ୪୬.୭୬%, ଭୁବନେଶ୍ୱର ଉତ୍ତର,୪୫%, ଭୁବନେଶ୍ୱର ସେଣ୍ଟ୍ରାଲରେ ୪୪.୧୨%, ଏକାମ୍ରରେ ୪୯.୫୦%, ଜଟଣୀରେ ୫୨.୪୦%, ଜୟଦେବରେ ୬୪.୮୦% ମତଦାନ ହାର ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା୬ଟା ଯାଏଁ ମତଦାନ ଜାରି ରହିବା କଥା । କିନ୍ତୁ ଅଧିକାଂଶ ବୁଥ୍ ଭିତରେ ଭୋଟରମାନେ ଥିବାରୁ ମତାଧିକାର ଦେବାରରେ ବିଲମ୍ବ ହୋଇଛି । ତେଣୁ ପୋଷ୍ଟାଲ ମିଶି ଚୂଡ଼ାନ୍ତ ଭୋଟ୍ ହାର ଆହୁରି ବଢ଼ିବ । ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତି ।

ଶ୍ରୀ ଧଳ କହିଛନ୍ତି ଯେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିଲେ । ଭୋଟରମାନଙ୍କୁ ମତଦାନ ପ୍ରତି ଆକର୍ଷିତ କରିବା ପାଇଁ ଆଦର୍ଶ ମତଦାନ କେନ୍ଦ୍ରରେ ଗଣତନ୍ତ୍ରର ମହାପର୍ବର ଖୁବ୍ ସୁନ୍ଦର ଚିତ୍ର ଦେଖିବାକୁ ମିଳିଥିଲା । ଯୁବ କର୍ମଚାରୀ ପରିଚାଳିତ ବୁଥ୍‌, ମହିଳା କର୍ମଚାରୀ ପରିଚାଳିତ ବୁଥ୍‌, ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍ ଆଦି ସ୍ଥାପନ କରାଯାଇ ଭୋଟରମାନଙ୍କୁ ସ୍ୱାଗତ କରାଯାଇଥିଲା । ଅନେକ ବୁଥ୍‌ରେ ସ୍ଥାନୀୟ ଚିତ୍ରକଳା, ଜନଜାତି ଥିମ୍ ଦେଖିବାକୁ ମିଳିଥିଲା । ସମସ୍ତ ବୁଥ୍‌ରେ ମତଦାତାମାନଙ୍କୁ ମତଦାନର ସୁଖଦ ଅନୁଭୂତି ଦିଆଯିବା ପାଇଁ ପୋଲିଂ କର୍ମଚାରୀ ପ୍ରୟାସ କରିଥିଲେ । ସମସ୍ତ ବୁଥ୍‌ରେ ପାନୀୟ ଜଳ, ଛାଇ, ସେଲ୍‌ଫି ଷ୍ଟାଣ୍ଡ ଆଦିର ବ୍ୟବସ୍ଥା କରାଯାଇଥିଲା ।

ପ୍ରତି ବୁଥ୍‌ରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଥିଲା । ହ୍ୱିଲ୍ ଚେୟାର ମାଧ୍ୟମରେ ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରମାନଙ୍କୁ ସ୍ୱେଚ୍ଛାସେବୀମାନେ ମତଦାନରେ ସାହାଯ୍ୟ କରିଥିଲେ । ସେମାନଙ୍କୁ ଘରୁ ମତଦାନ କେନ୍ଦ୍ର ଆସିବା ଓ ଯିବା ପାଇଁ ମାଗଣାରେ ଯାନ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ରଖାଯାଇଥିଲା । ୱେବ୍‌କାଷ୍ଟିଂ ଜରିଆରେ ନିର୍ଦ୍ଦିଷ୍ଟ ବୁଥ୍‌ଗୁଡ଼ିକ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରମାନଙ୍କ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ମଧ୍ୟ ୱେବ୍‌କାଷ୍ଟିଂ ଜରିଆରେ ବିଭିନ୍ନ ବୁଥ୍‌ରେ ଚାଲିଥିବା ମତଦାନ ପ୍ରକ୍ରିୟାକୁ ଦେଖିଥିଲେ । ରିପୋର୍ଟ ପ୍ରସ୍ତୁତ ବେଳକୁ କିଛି ବୁଥ୍‌ରୁ ପୋଲିଂ ପାର୍ଟିମାନେ ରିସିଭିଂ ସେଣ୍ଟରକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking