26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧି ବେଆଇନ; ନୂଆ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସୁପ୍ରିମ୍‌କୋର୍ଟଙ୍କ...

ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧି ବେଆଇନ; ନୂଆ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସୁପ୍ରିମ୍‌କୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ବେଆଇନ କହିଛନ୍ତି । କୋର୍ଟଙ୍କ ଏହି ଆଦେଶ ସତ୍ତ୍ୱେ ମିଶ୍ରା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପଦରେ ରହିବେ । ସେ ମଧ୍ୟରେ ସରକାରଙ୍କୁ ନୂଆ ମୁଖ୍ୟ ନିଯୁକ୍ତ କରିବାକୁ ହେବ । ତେବେ ସଞ୍ଜୟ ମିଶ୍ରାଙ୍କ ସ୍ଥାନ ନେବା ପାଇଁ ଏବେ କୌଣସି ଅନ୍ୟ ଅଧିକାରୀଙ୍କ ତଲାସ କରାଯାଇ ନଥିବା କେନ୍ଦ୍ର ପକ୍ଷରୁ ଯୁକ୍ତି କରାଯାଇଛି ।

ସେ ଏବେ କେତେକ ମନି ଲଣ୍ଡରିଂ ମାମଲାର ତଦାରଖ କରୁଛନ୍ତି । ଏପରି ସ୍ଥିତିରେ ନୂଆ ନିଯୁକ୍ତି ପାଇଁ ଆଉ କିଛି ସମୟ ଆବଶ୍ୟକ ବୋଲି କେନ୍ଦ୍ର କହିଛି । କେନ୍ଦ୍ର ନିଷ୍ପତ୍ତି ବିରୋଧରେ କମନ୍ କଜ୍ ଏନ୍‌ଜିଓ ପକ୍ଷରୁ କରାଯାଇଥିବା ପିଟିସନ୍‌ର ଜଷ୍ଟିସ୍ ବିଆର୍ ଗଭଇ, ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସଞ୍ଜୟ କୌଲଙ୍କ ବେଞ୍ଚ୍ କରୁଛି । କୋର୍ଟ ମେ’ ୮ ତାରିଖରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ୨୦୨୧ରେ କାର୍ଯ୍ୟକାଳ ବୃଦ୍ଧି ପାଇଁ ନିୟମରେ ହୋଇଥିବା ପରିବର୍ତ୍ତନକୁ କୋର୍ଟ ବୈଧ ବୋଲି କହିଛନ୍ତି । କୋର୍ଟ କହିଛନ୍ତି, କୌଣସି ତଦନ୍ତ ଏଜେନ୍ସିର ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରିବ । ତେବେ ସରକାରଙ୍କୁ ଏହାର ଠୋସ୍ କାରଣ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ପଡ଼ିବ।

କେନ୍ଦ୍ର ସରକାର ସଞ୍ଜୟ ମିଶ୍ରାଙ୍କୁ ୨୦୧୮ ନଭେମ୍ବରରେ ଦୁଇବର୍ଷ ପାଇଁ ଇଡି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲା । ଏହାପରେ ସେ ଅବସର ଗ୍ରହଣ କରିବା କଥା, ମାତ୍ର କେନ୍ଦ୍ର ତାଙ୍କ କାର୍ଯ୍ୟକାଳ ଆଉ ଏକବର୍ଷ ବୃଦ୍ଧି କରିଥିଲା । ଏହି ନିଷ୍ପତ୍ତିକୁ କମନ୍ କଜ୍ ଏନ୍‌ଜିଓ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା । ୨୦୨୧ ସେପ୍ଟେମ୍ବରରେ କୋର୍ଟ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କାଏମ ରଖିବା ସହିତ କହିଥିଲେ, ଏହି ପଦରେ ତାଙ୍କର ଆଉ କାର୍ଯ୍ୟକାଳ ବୃଦ୍ଧି କରାଯାଇ ପାରିବ ନାହିଁ । କେନ୍ଦ୍ର ସରକାର ୨୦୨୧ ନଭେମ୍ବରରେ ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନ ଆଇନରେ ସଂଶୋଧନ କରି ଏକ ଅଧ୍ୟାଦେଶ ଆଣିଥିଲା । ତଦନ୍ତ ଏଜେନ୍ସି ଇଡି ଏବଂ ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ପାଞ୍ଚବର୍ଷ ବୃଦ୍ଧି କରାଯାଇପାରିବ ବୋଲି ଏହି ସଂଶୋଧନରେ ବ୍ୟବସ୍ଥା ରହିଥିଲା । ଏହାପରେ ୨୦୨୨ ନଭେମ୍ବର ୧୭ରେ ସରକାର ମିଶ୍ରାଙ୍କ କାର୍ଯ୍ୟକାଳ ୨୦୨୩ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking