28.1 C
Bhubaneswar
Monday, February 9, 2026
Homeଓଡିଶାଭବିଷ୍ୟତରେ ପର୍ଯ୍ୟାପ୍ତ କାର୍ଯ୍ୟ ରହିବ, କିନ୍ତୁ ଚାକିରି ରହିବ ନାହିଁ : ଡକ୍ଟର ଆନନ୍ଦ ଦେଶପାଣ୍ଡେ

ଭବିଷ୍ୟତରେ ପର୍ଯ୍ୟାପ୍ତ କାର୍ଯ୍ୟ ରହିବ, କିନ୍ତୁ ଚାକିରି ରହିବ ନାହିଁ : ଡକ୍ଟର ଆନନ୍ଦ ଦେଶପାଣ୍ଡେ

ଭୁବନେଶ୍ୱର: ବର୍ତମାନ ସମୟରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ)ର ଆବିର୍ଭାବ ଚାକିରି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଛାତ୍ରଛାତ୍ରୀମାନେ କିନ୍ତୁ ନିଜେ ନିଯୁକ୍ତି ସୃଷ୍ଟି କରି ନିଜର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ ବୋଲି ଶନିବାର କହିଛନ୍ତି ପର୍ସିଷ୍ଟାଂଟ ସିଷ୍ଟମ୍‌ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ପରିଚାଳାନା ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ଦେଶପାଣ୍ଡେ । ଆମେ ବର୍ତମାନ ଏଭଳି ପରିସ୍ଥିତି ଦେଇ ଗତି କରୁଛୁ ଯେଉଁ ସମୟରେ କି କାର୍ଯ୍ୟର ଆବଶ୍ୟକତା ବଢ଼ିବ ମାତ୍ର ଚାକିରିର ହାର କମିବ । ତେଣୁ ଚାକିରି ପଛରେ ନ ଗୋଡାଇ ନିଜେ କିଭଳି ନିଯୁକ୍ତି ସୃଷ୍ଟି କରିପାରିବ ସେ ଦିଗରେ ଛାତ୍ରଛାତ୍ରୀମାନେ ଚିନ୍ତା କରିବା ଉଚିତ୍ ବୋଲି କହିଛନ୍ତି ଡକ୍ଟର ଦେଶପାଣ୍ଡେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ ଅବସରରେ ଏହା କହିଛନ୍ତି ଡକ୍ଟର ଦେଶପାଣ୍ଡେ । ଏଆଇ ଏବଂ ଏହାର ଭବିଷ୍ୟତ ସମ୍ପର୍କିତ ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ସମସ୍ୟାର ସମାଧାନ କରିବା ସହ ଉତ୍ପାଦନତା ବୃଦ୍ଧି କରିବା ଦିଗରେ ଏଆଇର ଉଚ୍ଚ ଧରଣର ଦକ୍ଷତା ରହିଛି ।

ବର୍ତମାନ ସମୟରେ ମଣିଷମାନଙ୍କ ଅପେକ୍ଷା ଏଆଇ ଭଲ କୋଡ୍ ଲେଖିପାରୁଛି । କିନ୍ତୁ ଏଆଇ ଅନେକ କିଛି ବିଷୟକୁ ବିକୃତ ମଧ୍ୟ କରିପାରେ ଯାହା ଅନ୍ୟ କେହି କରିପାରିବେ ନାହିଁ ବୋଲି କହିବା ସହ ଦୁଇଟି ଦେଶ ଆମେରିକା ଏବଂ ଚୀନ ବର୍ତମାନ ଏଆଇ କ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟ ଏବଂ ଅଟଳ ଇନ୍‌କ୍ୟୁବେସନ୍ ସେଂଟର – ସୋଆ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ । ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ କର୍ପୋରେଟ୍ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜମେଂଟ ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ପୁନେ ସ୍ଥିତ ବିଶ୍ୱସ୍ତରୀୟ ଡିଜିଟାଲ୍ ଇଞ୍ଜିନିୟରିଂ କମ୍ପାନୀର ମୁଖ୍ୟ ଡକ୍ଟର ଦେଶପାଣ୍ଡେ କହିଥିଲେ ଯେ ଚିକିତ୍ସା ବିଜ୍ଞାନ ଯେଉଁଭଳି ଦ୍ରୁତ ଗତିରେ ଅଗ୍ରଗତି କରୁଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯେଉଁମାନେ ୨୦୦୦ ମସିହା ପରେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଂଚି ରହିବାରେ ଅସୁବିଧା ନାହିଁ ଏବଂ ଆଗାମୀ ୬୦ ବର୍ଷ ଧରି ୨୦୮୫ ମସିହା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟକ୍ଷମ ରହିବେ । ଭାରତ ଖୁବ ପ୍ରଗତିଶୀଳ ହୋଇଥିଲେ ମଧ୍ୟ ବର୍ତମାନ ଛାତ୍ରଛାତ୍ରୀମାନେ ଯେଉଁ ଜ୍ଞାନ ଆହରଣ କରୁଛନ୍ତି ତାହା ୬୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ ନାହିଁ । କାରଣ ବିଶ୍ୱବିଦ୍ୟାଳୟ ଛାଡ଼ିବା ପରେ ସେମାନେ ଯେଉଁ କମ୍ପାନୀରେ ଯୋଗ ଦେବେ ତାହା ଆଗାମୀ ୬ ଦଶନ୍ଧି ଧରି ରହିବ ନାହିଁ ବୋଲି ସେ କହିଥିଲେ ।

ଡକ୍ଟର ଦେଶପାଣ୍ଡେ ଆଇଆଇଟି ଖଡ଼ଗପୁରର ଛାତ୍ର ଯାହା ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରେ କମ୍ପ୍ୟୁଟର ସାଇନ୍‌ସ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା । ସେ ଆମେରିକାରେ ପାଠ ପଢ଼ି ଚାକିରି କରିବା ପରେ ୧୯୯୦ ରେ ଭାରତ ଫେରି ନିଜର କମ୍ପାନୀ ଆରମ୍ଭ କରିଥିଲେ । ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ସେମାନେ କେଉଁ ଦିଗରେ ଯାଉଛନ୍ତି ତାହା ଜାଣିବା ଉଚିତ୍ ବୋଲି ସେ କହିଥିଲେ । ନିରନ୍ତର ଜ୍ଞାନ ଆହରଣ ସହ ସଂଗଠିତ କାର୍ଯ୍ୟ ଏବଂ ସଂଯୋଗୀକରଣର ଅନେକ ଆବଶ୍ୟକତା ରହିଛି । ତେବେ ନୈତିକତା ସହ ସାଲିସ୍ ନ କରି ନିଜ ବୃତି ପ୍ରତି ନିଷ୍ଠାବାନ ହେବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏକ ପ୍ରଶ୍ନର ଉତରରେ ଭୁଲ କରିବା ଏକ ସାଧାରଣ ଘଟଣା ଓ କିଛି ବଡ଼ କଥା ନୁହେଁ ବୋଲି ଡକ୍ଟର ଦେଶପାଣ୍ଡେ କହିଥିଲେ । କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking