ଭୁବନେଶ୍ୱର: ନିର୍ମାଣାଧୀନ ବିଲ୍ଡିଂର ୧୩ ମହଲାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ବାରଙ୍ଗର ପ୍ରକାଶ ସ୍ୱାଇଁ । ପ୍ରକାଶଙ୍କ ମୃତ ଦେହକୁ ପୁଲିସ ଜବତ କରିଛି । ଅନ୍ୟ ପଟେ ପ୍ରକାଶଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ୨୦ଲକ୍ଷ କ୍ଷତିପୂରଣ ଦାବି କରି ପରିବାର ଲୋକେ ଇନ୍ଫୋସିଟି ଅଞ୍ଚଳରେ ନିର୍ମାଣାଧୀନ ଓହୋପ୍ ବିଲ୍ଡିଂ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇନଫୋସିଟି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ôଚ ବୁଝାସୁଝା କରିବା ପରେ ପରିସ୍ଥିିତି ଶାନ୍ତ ପଡିଥିଲା । ଏ ନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଓହୋପ୍ ସୁପାରଭାଇରକୁ ଡାକି ପଚରାଉଚରା କରୁଥିବା ଜଣାପଡିଛି ।
ସୂଚନା ମୁତାବକ, ଇନଫୋସିଟି ଥାନା ଅଞ୍ଚଳରେ ଓହୋପର ଏକ ୧୩ ମହଲା ବିଲ୍ଡିଂ କାମ ଚାଲିଛି । ଏହି ନିର୍ମାଣାଧୀନ କୋଠାରେ ବାରଙ୍ଗର ପ୍ରକାଶ ସ୍ୱାଇଁ(୨୩) କାମ କରୁଥିଲେ । ଦୁଇଟି ୧୩ ମହଲା ବିଲ୍ଟିଂର ମଝିରେ ୨ ଫୁଟର ଫାଙ୍କା ସ୍ଥାନ ରହିଥିଲା । ରବିବାର ବିଳମ୍ବିତ ରାତିରେ ପ୍ରକାଶ ୧୩ ମହଲା ଉପରୁ ୨ ଫୁଟ ଖାଲରେ ପଡିଯାଇଥିଲେ । ପ୍ରକାଶଙ୍କ ସହଯୋଗୀମାନେ ବହୁ ଖୋଜାଖୋଜି ପରେ ଖାଲ ଭିତରେ ପଡିଥିବା ଦେଖିବା ପରେ ତାଙ୍କୁ ସଂଗେ ସଂଗେ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀଣି ।