19.1 C
Bhubaneswar
Tuesday, November 19, 2024
Homeଓଡିଶାରାଜଧାନୀରେ ଚାଞ୍ଚଲ୍ୟ : ସ୍ୱାମୀ ଶବକୁ ୩ଦିନ ଲୁଚାଇଥିଲା ସ୍ତ୍ରୀ

ରାଜଧାନୀରେ ଚାଞ୍ଚଲ୍ୟ : ସ୍ୱାମୀ ଶବକୁ ୩ଦିନ ଲୁଚାଇଥିଲା ସ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି । ସ୍ୱାମୀର ୩ଦିନ ହେବ ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ’ ଘର ଭିତରେ ଲୁଚାଇ ରଖିଥିଲେ । କାହାରିକୁ ନଜଣାଇ ସ୍ୱାମୀ ଶବ ପାଖେ ଶୋଇବା ସହ ଚଳପ୍ରଚଳ କରୁଥିଲେ । ଖାଲି ଏତିକି ନୁହେଁ ଖାଦ୍ୟ ଖାଇବା ସହ ବାହାରକୁ ଯିବାଆସିବା ମଧ୍ୟ ହେଉଥିଲା । ହେଲେ ଶବ ପଚି ଦୁର୍ଗନ୍ଧ ହେବାରୁ ପୋଡ଼ିବାର ବ୍ୟବସ୍ଥା କରିଥିଲେ । ଏନେଇ ମଙ୍ଗଳବାର ସ୍ୱର୍ଗରଥରେ ଶବକୁ ବୋହିନେବା ବେଳେ ପୋଲିସ ହାତରେ ଧରାପଡ଼ିଯାଇଛନ୍ତି । ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡ଼ମଣା କଲ୍ୟାଣମଣ୍ଡପ ପଛପଟ ମୁଣ୍ଡାବସ୍ତିରେ ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ମୁଣ୍ଡାବସ୍ତିରେ ରହୁଥିବା ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ପଣସପାର ଗ୍ରାମର ଶ୍ୟାମା ମୁଣ୍ଡାରୀ(୫୦) । ଶ୍ୟାମାଙ୍କୁ ତାଙ୍କ ସ୍ତ୍ରୀ’ ଝିଙ୍କି ମୁଣ୍ଡାରୀ(୬୦) ଝଗଡ଼ା ବେଳେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେଣୁ ପୋଲିସ ହାତରେ ଧରାପଡ଼ିଯିବା ଭୟରେ ଶବକୁ ଲୁଚାଇ ରଖିଥିଲେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତକଙ୍କ ସାନଭାଇ ସଂଗ୍ରାମ ମୁଣ୍ଡାରୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଶ୍ୟାମାଙ୍କ ସ୍ତ୍ରୀ’ଙ୍କୁ ଅଟକ ରଖି ପଚରାଉଚରା କରୁଛି ।

-ପୁରା ଘଟଣାଟି ଏମିତି
୨୦ବର୍ଷ ତଳେ ଝିଙ୍କିଙ୍କ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ସେ ତାଙ୍କ ମଝିଆ ଦିଅର ଶ୍ୟାମା ମୁଣ୍ଡାରୀଙ୍କୁ ବିବାହ କରିଥିଲେ । ଗତ ୫ରୁ ୬ବର୍ଷ ହେବ ସେମାନେ ଭୁବନେଶ୍ୱରରେ ବିଏମ୍‌ସି ଅଧିନରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ସ୍ୱାମୀ-ସ୍ତ୍ରୀ’ ହାଣ୍ଡିଆ, ମହୁଲି ଓ ଚାଉଳି ପିଇ ସବୁବେଳେ ମାର୍‌ପିଟ୍ ହେଉଥିଲେ । ଗତ ଶନିବାର ରାତିରେ ଉଭୟଙ୍କ ମଧ୍ୟରେ ସବୁଦିନ ଭଳି ଝଗଡ଼ା ହୋଇଥିଲା । ପରେ ଦୁହେଁ ହାତାହାତି ହୋଇଥିଲେ । ଏହି ସମୟରେ ଶ୍ୟାମା ତଳେ ପଡିିଯାଇଥିଲେ । ଏହାଦେଖି ବସ୍ତିର ୩ଜଣ ଲୋକ ଶ୍ୟାମାଙ୍କୁ ତଳୁ ଉଠାଇ ଖଟରେ ଶୋଇଦେଇ ସେଠାରୁ ଚାଲିଯାଇଥିଲେ । ସେହି ସମୟରେ ଶ୍ୟାମାଙ୍କର ମୃତ୍ୟୁ ହୋଇଯାଇଥିଲା । ରବିବାର ସକାଳେ ଶ୍ୟାମା ନଉଠିବାରୁ ଝିଙ୍କିର ସନ୍ଦେହ ହୋଇଥିଲା । ଏମିତିକି ସେ ତାଙ୍କୁ ହସ୍ପିଟାଲ କି କେଉଁଆଡ଼େ ନେଇନଥିଲେ । ତାଙ୍କୁ ଘର ଖଟରେ ଶୁଆଇ ଦେଇ ନିଜ କାମ ନିଜେ କରିଥିଲେ । ଶେଷରେ ଶବ ପଚି ଗନ୍ଧ ହେବାରୁ ସେ ତାଙ୍କ ଜ୍ୱାଇଁଙ୍କୁ ସୋମବାର ଖବର ଦେଇଥିଲେ । ମୟୁରଭଞ୍ଜରୁ ଆସି ମଙ୍ଗଳବାର ସକାଳେ ଜ୍ୱାଇଁ ଭୁବନେଶ୍ୱରରେ ପହଞ୍ଚି ଶବକୁ ପୋଡ଼ିବାର ବ୍ୟବସ୍ଥା କରିଥିଲେ । ଏକ ସ୍ୱର୍ଗରଥରେ ଶବକୁ ବୋହିନେବାବେଳେ ଶ୍ୟାମାକୁ ସାନଭାଇ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳେ ଜୋନ୍‌-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ, ଚନ୍ଦ୍ରଶେଖରପୁର ଅତିରିକ୍ତ ଥାନା ଅଧିକାରୀ ଅଶ୍ୱିନୀ କୁମାର ଜେନା ପହଞ୍ଚି ଶବକୁ ଜବତ କରିବା ସହ ଝିଙ୍କିଙ୍କୁ ଥାନାକୁ ନେଇଥିଲେ । ପରେ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା ।

-ସ୍ୱାମୀ ମୃତ୍ୟୁ ପରେ ଦିଅରଙ୍କୁ ବାହା ହୋଇଥିଲେ
ଝିଙ୍କି ପ୍ରଥମେ ଶ୍ୟାମାଙ୍କ ବଡ଼ଭାଇଙ୍କୁ ବାହା ହୋଇଥିଲେ । ଏହାପରେ ତାଙ୍କର ୨ଟି ଝିଅ ଗୋଟିଏ ପୁଅ ହୋଇଥିଲା । ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଯିବାରୁ ଚଳିବା କଷ୍ଟକର ହୋଇପଡ଼ିଥିଲା । ଏହାପରେ ସେ ପିଲାଛୁଆଙ୍କୁ ସାଙ୍ଗରେ ଆଣି ଭୁବନେଶ୍ୱରରେ ମଝିଆ ଦିଅର ଶ୍ୟାମା ପାଖେ ରହୁଥିଲେ । କିଛିଦିନ ପରେ ଦିଅରଙ୍କୁ ବାହା ହୋଇଯାଇଥିଲେ । ଏହାପରେ ସବୁ ପିଲାଛୁଆଙ୍କୁ ବାହାଘର କରିଦେଲେ । ସ୍ୱାମୀ ମୃତ୍ୟୁ ପରେ ଝିଙ୍କି ଭାବିଥିଲେ ଦିଅରକୁ ବାହାହୋଇ ବାକି ଆୟୁଷ କାଟିଦେବେ । ହେଲେ ଦିଅର ସହ ନିଇତି ଝଗଡ଼ା ହେଉଥିଲା। ଏମିତିକି ଦୁହେଁଦୁହିଁଙ୍କୁ ହାତାହାତି ହେଉଥିଲେ । ହେଲେ ଏଇ ସାମାନ୍ୟ ଘରକଳି ଯୋଗୁ ଅକସ୍ମାକ ମୃତ୍ୟୁ ହୋଇଯିବ ବୋଲି କେବେ ଭାବିନଥିଲେ ।

-ଶରୀରରେ କ୍ଷତ ନାହିଁ
ସ୍ୱାମୀ-ସ୍ତ୍ରୀ ଝଗଡା ଲାଗି ଠେଲାପେଲାରେ ଶ୍ୟାମା ପଡିଯିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶରୀର ଉପରେ କୌଣସି କ୍ଷତ ନାହିଁ । ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି । ଏନେଇ ଜୋନ୍ ଏସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ଶ୍ୟାମାଙ୍କର ମୃତ୍ୟୁରେ ତାଙ୍କ ସ୍ତ୍ରୀ’ଙ୍କର ସମ୍ପୃକ୍ତି ନଥିବା ଆମେ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛୁ । ମୃତଦେହରେ କୌଣସି କ୍ଷତ ଚିହ୍ନ ନାହିଁ । ଝଗଡାରୁ ହୃଦଘାତ କିମ୍ବା ନିଶା ସେବନ ଦ୍ୱାରା ଶ୍ୟାମାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking