32.1 C
Bhubaneswar
Saturday, October 19, 2024
Homeଖେଳଅହମ୍ମଦାବାଦରେ ସମ୍ବର୍ଦ୍ଧିତ ହେବ ବିଶ୍ୱବିଜେତା ଅଣ୍ଡର୍‌-୧୯ ଟିମ୍‌

ଅହମ୍ମଦାବାଦରେ ସମ୍ବର୍ଦ୍ଧିତ ହେବ ବିଶ୍ୱବିଜେତା ଅଣ୍ଡର୍‌-୧୯ ଟିମ୍‌

ଅହମ୍ମଦାବାଦ:ଗତ ଶନିବାର ଆଣ୍ଟିଗୁଆରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରି ଭାରତ ଅଣ୍ଡର୍‌-୧୯ ବିଶ୍ୱକପ୍‌ରେ ପଞ୍ଚମ ଥର ପାଇଁ ଚାମ୍ପିଅନ୍ ହୋଇଛି । ଏହି ବିଶ୍ୱବିଜେତା ଟିମ୍ ଦେଶକୁ ଫେରିବା ପରେ ଦଳର ସଦସ୍ୟମାନଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯିବା ସକାଶେ ବିସିସିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟାଇଟଲ୍ ଜିତିବା ପରେ ଭାରତୀୟ ଦଳର ସଦସ୍ୟମାନଙ୍କ ସକାଶେ ୪୦ ଲକ୍ଷ ଲେଖାଏଁ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ବିସିସିଆଇ ଘୋଷଣା କରିଥିଲା । ସମ୍ବର୍ଦ୍ଧନା ଉତ୍ସବରେ ବିସିସିଆଇ ପକ୍ଷରୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ ।

ସେହିପରି ଭାରତୀୟ ଦଳର ଖେଳାଳିମାନେ ଚାମ୍ପିଅନ୍ ହେବା ପରେ ଗୟାନାସ୍ଥିତ ଭାରତୀୟ ହାଇକମିଶନର୍ କେଜେ ଶ୍ରୀନିବାସଙ୍କ ଆତିଥ୍ୟ ଗ୍ରହଣ କରିଛନ୍ତି । ଦଳର ସଦସ୍ୟମାନେ ରବିବାର ସନ୍ଧ୍ୟାରେ ଆଣ୍ଟିଗୁଆ ଛାଡ଼ିବା ପରେ ଆମଷ୍ଟରଡ୍ୟାମ୍ ଓ ବେଙ୍ଗାଲୁରୁ ଦେଇ ଅହମ୍ମଦାବାଦରେ ପହଞ୍ଚିବେ । ଅହମ୍ମଦାବାଦରେ ମଧ୍ୟ ସିନିୟର୍ ଟିମ୍‌ର ଖେଳାଳିମାନେ ଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଖେଳିବା ସକାଶେ ରହିଛନ୍ତି । ତେବେ ସେମାନେ ବାୟୋ ବବଲ୍ ପରିବେଶରେ ରହିଥିବାରୁ ଅଣ୍ଡର୍‌-୧୯ ଟିମ୍‌ର ସଦସ୍ୟମାନଙ୍କ ସହ ସାକ୍ଷାତ କରିବେ କି ନାହିଁ, ସେଥିନେଇ ବିସିସିଆଇ କିଛି ସ୍ପଷ୍ଟ କରିନାହିଁ । ୟଶ୍ ଧୂଲଙ୍କ ନେତୃତ୍ୱାଧୀନ ଅଣ୍ଡର୍‌-୧୯ ଟିମ୍‌ର ସଦସ୍ୟଙ୍କ ସକାଶେ ବିଶ୍ୱକପ୍‌ରେ ବେଶ୍ ବ୍ୟସ୍ତ କାର୍ଯ୍ୟସୂଚୀ ଥିବାରୁ ସେମାନେ କ୍ଳାନ୍ତ ହୋଇପଡ଼ିଛନ୍ତି । ତେବେ ଭାରତରେ ପହଞ୍ଚିବା ପରେ ସେମାନେ ଭରପୂର ବିଶ୍ରାମ ନେବେ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking