ଭୁବନେଶ୍ୱର: ମାର୍ଚ୍ଚ ପ୍ରଥମ ସପ୍ତାହରୁ ପ୍ରବଳ ଖରା ଆରମ୍ଭ ହୋଇଯାଇଛି । ଅନୁଗୁଳ ଜିଲ୍ଲା ତାଳଚେର ଏବଂ ସମ୍ବଲପୁରରେ ଆଜି ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୨୦ଟି ସହରରେ ତାପମାତ୍ରା ୩୭ ଡିଗ୍ରି ରହିଛି । ମୋଟ ୮ ସହରରେ ୩୮ ଡିଗ୍ରି ପାରଦ ଛୁଇଁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି ।
ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱରରେ ୩୮.୫, ବାରିପଦାରେ ୩୮, ଝାରସୁଗୁଡ଼ାରେ ୩୮.୪, ସମ୍ବଲପୁର ଓ ତାଳଚେରରେ ୩୮.୬, ସୋନପୁରରେ ୩୮.୪, ବୌଦ୍ଧରେ ୩୮.୦ ଓ ଖୋର୍ଦ୍ଧାରେ ୩୮.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଆଜି ବାଲେଶ୍ୱର, ଚାନ୍ଦବାଲି, କଟକ, ଅନୁଗୁଳ, ସୁନ୍ଦରଗଡ଼, ହୀରାକୁଦ, ବଲାଙ୍ଗୀର, ମାଲକାନଗିରି, ନୟାଗଡ଼, ଢେଙ୍କାନାଳ ଓ ଜଗତସିଂହପୁରରେ ୩୭ ଡିଗ୍ରୀ କିମ୍ବା ଏଥିରୁ ଅଧିକ ତାପମାତ୍ରା ରହିଛି ।