36.7 C
Bhubaneswar
Sunday, June 7, 2026
Homeଦେଶ ବିଦେଶଅଦାନୀଙ୍କ ବିରୋଧରେ ଆମେରିକାର ଅଭିଯୋଗରେ ଜଗନ ରେଡ୍ଡୀଙ୍କ ନାମ

ଅଦାନୀଙ୍କ ବିରୋଧରେ ଆମେରିକାର ଅଭିଯୋଗରେ ଜଗନ ରେଡ୍ଡୀଙ୍କ ନାମ

ୱାଶିଂଟନ୍‌: ଆମେରିକାର ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିସନ (ଏସ୍‌ଇସି) ୬୨ ବର୍ଷୀୟ ଭାରତୀୟ ବିଲୟନାରୀ ବ୍ୟବସାୟୀ ଗୌତମ ଅଦାନୀଙ୍କ ନାମରେ ଆଉ ଏକ ନୂଆ ଅଭିଯୋଗ ଆଣିଛି। ଏସ୍‌ଇସି ଅନୁସାରେ ଗୌତମ ଅଦାନୀ ୨୦୨୧ ଅଗଷ୍ଟ ମାସରେ ତତ୍କାଳୀନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କୁ ସାକ୍ଷାତ୍ କରିଥିଲେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏସ୍‌ଇସିଆଇ) ସହିତ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଥିପାଇଁ ଜଗନ ରେଡ୍ଡୀଙ୍କୁ ମଧ୍ୟ ଗୌତମ ଅଦାନୀଙ୍କ କମ୍ପାନୀ ଅଦାନୀ ଗ୍ରୁପ୍ ପକ୍ଷରୁ ମୋଟା ଅଙ୍କର ଲାଞ୍ଚ ଦିଆଯିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଫଳରେ ତତ୍କାଳନୀ ଜଗନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ଏସ୍‌ଇସିଆଇରୁ ୭ ଜିଗାୱାଟ୍ ବିଦ୍ୟୁତ୍ କିଣିବାକୁ ରାଜି ହୋଇଥିଲେ।

ଅଦାନୀ ଗ୍ରୀନ୍ ଏବଂ ରିନ୍ୟୁଏବଲ୍ ଏନର୍ଜି (ଅକ୍ଷୟ ଶକ୍ତି) କମ୍ପାନି ଆଜୁରେ ପାୱାର ସହିତ ଆନ୍ଧ୍ର ସରକାରଙ୍କ ବିଦ୍ୟୁତ୍ କ୍ରୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହା ସେତେବେଳେ ଅନ୍ୟ କୌଣସି ରାଜ୍ୟ କିଣିନଥିବା ସର୍ବାଧିକ ସୌର ଶକ୍ତି ଥିଲା ବୋଲି ଏସ୍‌ଇସି ଦର୍ଶାଇଛି। ଅଦାନୀ ଗ୍ରୁପ୍ ବିରୋଧରେ ହୋଇଥିବା ଲାଞ୍ଚ ଏବଂ ଜାଲିଆତି ଅଭିଯୋଗରେ ଦର୍ଶାଯାଇଛି ଯେ ଆନ୍ଧ୍ରପ୍ରଦେଶର ଜଣେ ସରକାରୀ ଅଧିକାରୀଙ୍କ ମାଧ୍ୟମରେ ଅଦାନୀ ଗ୍ରୁପ୍ ପକ୍ଷରୁ ପ୍ରାୟ ୧,୭୫୦ କୋଟି ଟଙ୍କା ଲାଞ୍ଚ ପ୍ରଦାନ କରାଯାଇଛି। ଏହି ଅର୍ଥ ଜଗନ୍‌ଙ୍କ ପାଖକୁ ବ୍ୟକ୍ତିଗତ ଭାବେ କିମ୍ବା ତାଙ୍କ ସରକାରଙ୍କ ପାଖକୁ ଯାଇଥିବା ଅନୁମାନ କରାଯାଉଛି। ଅଭିଯୋଗ ଅନୁଯାୟୀ, ୨୦୨୦ ରେ ଅଦାନୀ ଗ୍ରୀନ୍ ଏନର୍ଜି ଏସ୍‌ଇସିଆଇକୁ ୧୨ ଜିଗାୱାଟ୍ ସୌର ଶକ୍ତି ଯୋଗାଇବା ପାଇଁ ଏକ ଚୁକ୍ତି କରିଥିଲା।

ତଥାପି, ଏସ୍‌ଇସିଆଇ ସୌର ଶକ୍ତି କିଣିବା ପାଇଁ କ୍ରେତା ଖୋଜି ପାରିନଥିଲା। ଅନ୍ୟପକ୍ଷେ, ୨୦୧୯-୨୪ ମଧ୍ୟରେ କ୍ଷମତାରେ ଥିବା ଜଗନ ରେଡ୍ଡୀଙ୍କ ୱାଇଏସ୍‌ଆର୍ କଂଗ୍ରେସ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି। ଅଦାନୀ ଗ୍ରୁପ୍ ସହ କୌଣସି ପ୍ରତ୍ୟକ୍ଷ ଚୁକ୍ତି ହୋଇନଥିବା ଦଳ କହିଛି। ସେହିପରି ଅଦାନୀ ଗ୍ରୁପ୍ ମଧ୍ୟ ଆମେରିକା ଏଜେନ୍ସିର ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛି। ଆମେରିକାରେ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗର ଶିକାର ହୋଇଥିବା ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ଏବେ ନୂଆ ନୂଆ ଅଡୁଆରେ ଛନ୍ଦି ହୋଇ ହୋଇଯାଉଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଆମେରିକାର ହ୍ୱାଇଟ୍ ହାଉସ୍ ମଧ୍ୟ ସ୍ୱୀକାର କରିଛି। ଆମେରିକା ପକ୍ଷରୁ ଗୌତମ ଅଦାନୀ ଏବଂ ତାଙ୍କ କମ୍ପାନୀ ଅଦାନୀ ଗ୍ରୁପ୍ ଅଫ୍ କମ୍ପାନିଜ୍ ବିରୋଧରେ ଏକ ଗୁରୁତର ଅଭିଯୋଗ ଅଣାଯିବା ପୂର୍ବକ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏକ ସୋଲାର ଏନର୍ଜି କଣ୍ଟ୍ରାକ୍ଟ ପାଇବା ପାଇଁ ଗୌତମ ଅଦାନୀ ପ୍ରାୟ ୨୬୫ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୨୩୬ କୋଟିରୁ ଅଧିକ ଟଙ୍କାର ଲାଞ୍ଚ ଦେଇଥିବା ଓ ଏସମ୍ପର୍କରେ ଉଭୟ ଭାରତ ଏବଂ ଆମେରିକା ସରକାରଙ୍କୁ ଅନ୍ଧାରରେ ରଖିଥିବା ଭଳି ଅଭିଯୋଗ ହୋଇଛି।

ତେବେ ଏସମ୍ପର୍କରେ ଅଭିଯୋଗ ହେବା ପରେ ନ୍ୟୁୟର୍କର ଫେଡେରାଲ କୋର୍ଟ ଏହି ମାମଲା ଉପରେ ଶୁଣାଣି କରିଛନ୍ତି। ନିଜ ରାୟରେ ଫେଡେରାଲ୍ କୋର୍ଟ ଗୌତମ ଅଦାନୀ, ତାଙ୍କ ପୁତୁରା ସାଗର ଅଦାନୀଙ୍କ ସମେତ ୮ଜଣ ଲୋକ କୋଟି କୋଟି ଟଙ୍କାର ଠକେଇ କରିଥିବା ଏବଂ ଲାଞ୍ଚ ଦେଇଥିବା ଅଭିଯୋଗର ଯଥେଷ୍ଟ ପ୍ରମାଣ ରହିଥିବା କହିଛନ୍ତି। ସୁତରାଂ ପ୍ରମାଣ ଆଧାରରେ ଗୌତମ ଅଦାନୀ ଏବଂ ଅନ୍ୟ ୭ଜଣଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ଫେଡେରାଲ୍ କୋର୍ଟ। ସୂଚନାଯୋଗ୍ୟ , ଭାରତର ୪ ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଛତିଶଗଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଜମ୍ମୁ କାଶ୍ମୀର ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ରହିଛି। ତେବେ ଅଦାନୀଙ୍କ ବିରୋଧରେ ଆମେରିକାର ଫେଡେରାଲ୍ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବା ପରେ ଆଦାନୀ ଗ୍ରୁପ୍ ଶେଆର ବଜାର ହ୍ରାସ ପାଇଛି। ଆଦାନୀ ଗ୍ରୁପର ୫ ଲକ୍ଷ ୩୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking