ବ୍ୟୁରୋ: ସମ୍ପତ୍ତି ପାଇଁ ୬୫ ବର୍ଷୀୟ ବାପାଙ୍କୁ ପ୍ରବଳ ମାଡ଼ । ବୁଢ଼ା ବାପାଟାର ମୁହଁକୁ ମାରି ଚାଲିଲା କୁଳାଙ୍ଗାର ପୁଅ । ରକ୍ତରେ ଜୁଡୁବୁଡୁ ହେଲା ବାପା । ମେଡିକାଲରେ ଚାଲିଗଲା ଜୀବନ । ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସାମାନ୍ୟ ବାପ ଅର୍ଜିତ ସମ୍ପତ୍ତିକୁ ନିଜ ନାଁରେ କରିବାକୁ ଏପରି କରିଛି ଜନ୍ମକଲା ପୁଅ । ଏଭଳି ଘଟଣା ଏବେ ବିଭିନ୍ନ ମହଲରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଯୋଉ ବାପା ତାକୁ ପାଳିପୋଷି ବଡ଼କଲା ସେଇ ବାପାକୁ ମୁଥ ପରେ ମୁଥ ମାରି ଚାଲିଛି କୁଳାଙ୍ଗାର ପୁଅ ।
ଏ ଦୃଶ୍ୟ ଦେଖିବା ପରେ ଏତିକି ଅନୁଭବ ହେଉଛିଯେ, ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ ଏଇ ପୁଅକୁ ଯେତେ ବଡ଼ ଦଣ୍ଡ ଦେଲେ ବି କମ୍ ପଡ଼ିବ । ସବୁଠୁ ଉଦବେଗଜନକ ବିଷୟଟି ହେଉଛି, କୁଳାଙ୍ଗାର ପୁଅ ମାଡ଼ ମାରିବା ପରେ ଆଉ ଥରୁଟିଏ ବି ମୃତ୍ୟୁକୁ ଦରାଣ୍ଡି ହେଉଥିବା ବିଚରା ବାପାକୁ ଆଡ଼ ଆଖିରେ ବି ଚାହିଁବାକୁ ଆସିଲାନି । ଧିକ୍ ଏମିତି ପୁଅକୁ… । ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବୁଢ଼ା ବାପା ଚେୟାରରେ ବସିଥିବାବେଳେ ନିର୍ଧୂମ ମାଡ଼ ମାରୁଛି ପୁଅ । ମୁହଁକୁ ମୁହଁକୁ ମାଡ଼ ମାରିବା ପରେ ବୃଦ୍ଧ ନିଜର ଚେତା ହରାଉଛନ୍ତି ।
ମାଡମାରି ଥକିଯିବା ପରେ ପୁଣି ଫେରିଆସି ବୁଢ଼ା ବାପାଙ୍କୁ ଲାତ ମାରୁଛି କୁଳାଙ୍ଗାର ପୁଅ । ପରେ ଘରର ଜଣେ ସଦସ୍ୟ ଆସି ତାଙ୍କୁ ଅଟକାଉଛନ୍ତି । ଘଟଣାସ୍ଥଳରେ ବୁଢ଼ା ବାପା ଅଚେତ ହୋଇପଡ଼ିଥିବାବେଳେ ଜଣେ ମହିଳା ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର କିଛି ସମୟ ପରେ ପରିବାର ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏପରି ଏକ ଅଭାବନୀୟ ଖବର ତାମିଲନାଡ଼ୁରୁ ଆସିଛି । ପେରାମବାଲୁରର ଜଣେ ୬୫ ବର୍ଷୀୟ ବାପାକୁ ମାଡ଼ ମାରି ଜୀବନରୁ ମାରି ଦେଇଛି ପୁଅ । ଗତ ୧୮ ତାରିଖରେ ଏହି ଘଟଣା ଘଟିଥିବାବେଳେ ସେହିଦିନ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଅଭିଯୁକ୍ତ ନାଁରେ ବିଭନ୍ନ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।