ମୟୂରଭଞ୍ଜ: ବାପ ପୋଛିଦେଲା ଝିଅ ସିଂଥିରୁ ସିନ୍ଦୁର। ଝିଅକୁ ବିଧବା ସଜାଇଲା ବାପ। ଝିଅର ଭୁଲକୁ ଭୁଲିଯାଇ କ୍ଷମା କରିବା ବଦଳରେ ବାପ ସାଜିଲା ଦଣ୍ଡଧର। ଶଶୁର ନେଲା ଜ୍ୱାଇଁର ଜୀବନ। ଜାତିଆଣ ପ୍ରଭେଦକୁନେଇ ହୀନମନ୍ୟତାର ଶିକାର ହୋଇ ଅଭିଯୁକ୍ତ ଘଟାଇଛି ଏଭଳି ଘଟଣା। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନଥାନା ଅନ୍ତର୍ଗତ ଗାଙ୍ଗରାଜ ମଙ୍ଗଳାମନ୍ଦୀର ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଘରୋଇ କଳହକୁ କେନ୍ଦ୍ରକରି ଶଶୁର କୁରାଢୀ ଚୋଟରେ ଜ୍ବାଇଁର ମୃତ୍ୟୁ । ଅଭିଯୁକ୍ତ ଶଶୁର ଦାମଦୋର ପୃଷ୍ଟି (୬୫ ବର୍ଷ)। ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ବେଳେ ଜ୍ବାଇଁ ଶ୍ୟାମସୁନ୍ଦର ଧଳ (୩୫ବର୍ଷ)କୁ ଗୁରୁତର ଅବସ୍ଥାରେ ବାରିପଦା P.R.M. ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛି ପୋଲିସ । ତେବେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଗାଙ୍ଗରାଜ ମଙ୍ଗଳାମନ୍ଦୀର ସାହିର ଦାମଦୋର ପୃଷ୍ଟିଙ୍କ ଝିଅ ଗୀତାଞ୍ଜଳୀଙ୍କୁ ଶୁଳିଆପଦା ଥାନା ଅନ୍ତର୍ଗତ ଖଡିଆଶୋଳ ଅଞ୍ଚଳର ଶ୍ୟାମସୁନ୍ଦର ଧଳ ପ୍ରେମବିବାବହ କରିଥିଲେ । ଶ୍ୟାମସୁନ୍ଦର ନିଚ୍ଚ ଜାତିର ହୋଇଥିବା ନେଇ ଶଶୁର ଦାମଦୋର ପୁର୍ବରୁ ରାଗ ରଖିଥିଲେ । ଝିଅ ଗୀତାଞ୍ଜଳୀ ଓ ଜ୍ବାଇଁ ଶ୍ୟାମସୁନ୍ଦର କିଛି ଦିନ ହେବ ନିଜ ଗାଁ ଛାଡି ଶଶୁର ଘର ପାଖରେ ରହୁଥିଲେ ।
ତେବେ ଦାମଦୋର ଆଜି ଶ୍ୟାମସୁନ୍ଦରକୁ ଏକା ପାଇ କୁରାଢୀ ସାହାଯ୍ୟରେ ମୁଣ୍ଡରେ ହାଣି ଦେଇଥିଲେ । ଆହତ ଶ୍ୟାମସୁନ୍ଦର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହ ଦୀର୍ଘସମୟ ଧରି ସେଠାରେ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲେ । ପରେ ଜ୍ବାଇଁକୁ ଖାଇବା ପାଇଁ ଡାକିବାକୁ ଯାଇଥିବା ଶାଶୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଗାଁ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ଘଟଣା ସମ୍ପର୍କରେ ଖବରପାଇ ବାରିପଦା ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ବାରିପଦା ପି.ଆର୍.ଏମ୍. ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରତର ଆହତ ଥିବା ଜ୍ବାଇଁ ଶ୍ୟାମସୁନ୍ଦର ଅବସ୍ଥା ଶଙ୍କଟାପନ୍ନ ଥିବାବେଳେ ଚିକିତ୍ସାଧୀନ ଥାଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ଅଭିଯୁକ୍ତ ଶଶୁର ଦାମଦୋର ପୃଷ୍ଟି ବାରିପଦା ଟାଉନଥାନାରେ ପହଞ୍ଚି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଟାଉନଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଘଟଣା ଉପରେ ନଜର ରଖିବା ସହ ଏକ ହତ୍ୟାମାମଲା ରୁଜ୍ଜୁ କରି ଅଧିକ ତଦନ୍ତଜାରୀ ରଖିଥିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ।