ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଶାଳୀ ପ୍ରେମ । ଶାଳୀ ସହ ମିଶି ସ୍ତ୍ରୀ ଓ ପିଲାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ସୋମବାର ଶାଳୀ-ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ତମାଣ୍ଡୋ ବିଜିପୁରରେ ରହୁଥିବା ଗଞ୍ଜାମ ବୁଗୁଡ଼ାର ଲିପୁ ନାୟକ(୩୫) ଓ ତାଙ୍କ ଶାଳୀ ଯାଁଳା ଓଗାଳପଡ଼ାରେ ରହୁଥିବା ଗଞ୍ଜାମ ବୁଗୁଡ଼ାର ରାଜେଶ୍ୱରୀ ମଲ୍ଲିକ(୨୫) ।
ପୁଲିସ ସୂଚନା ଅନୁଯାୟୀ, ଲିପୁଙ୍କର ସ୍ତ୍ରୀ ସ୍ୱପ୍ନା କୁମାରୀ ନାୟକ ଓ ଦୁଇ ପୁଅଝିଅ ଅଛନ୍ତି । ଲିପୁ ଯାଁଳାରେ ଏକ ବିଅର ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସ୍ୱପ୍ନାଙ୍କର ସଂପର୍କୀୟ ଭଉଣୀ ଗଞ୍ଜାମ ବୁଗୁଡ଼ାର ରାଜେଶ୍ୱରୀ ଯାଁଳା ଓଗାଳପଡ଼ାରେ ରହି ଉକ୍ତ ବିଅର ଫ୍ୟାକ୍ଟ୍ରିରେ କାମ କରୁଥିଲେ । ରାଜେଶ୍ୱରୀ ମଧ୍ୟ ବିବାହିତ । ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଦେଇଥିଲେ । ରାଜେଶ୍ୱରୀଙ୍କ ପ୍ରେମରେ ପଡ଼ି ଯାଇଥିଲେ ଲିପୁ । ଏପରିକି ସ୍ତ୍ରୀ ଓ ପିଲାଛୁଆଙ୍କୁ ଛାଡ଼ି ରାଜେଶ୍ୱରୀଙ୍କ ପାଖରେ ଯାଇ ରହୁଥିଲେ । ସ୍ୱପ୍ନା ଯାଇ ତାଙ୍କୁ ବହୁତଥର ବୁଝାଇଥିଲେ ମଧ୍ୟ ଲିପୁ ରାଜେଶ୍ୱରୀଙ୍କ ସହ ମିଶି ତାଙ୍କୁ ଗାଳିଗୁଲଜ କରିବା ସହ ମାର୍ଧର କରୁଥିଲେ । ଏନେଇ ସ୍ୱପ୍ନା କିଛିଦିନ ତଳେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଲିପୁଙ୍କୁ ଡ଼କାଇ ଥାନାରେ ଆପୋଷ ମିଳାମିଶା ହୋଇ ଯାଇଥିଲେ । ସ୍ତ୍ରୀ ଓ ପିଲାଙ୍କ ନିକଟରେ କିଛିଦିନ ରହିବା ପରେ ପୁଣି ସେମାନଙ୍କୁ ଛାଡ଼ି ରାଜେଶ୍ୱରୀଙ୍କ ପାଖକୁ ପଳାଇ ଯାଇଥିଲେ । ଉଭୟ ତମାଣ୍ଡୋକୁ ଆସି ସ୍ୱପ୍ନାଙ୍କୁ ମାର୍ଧର କରୁଥିଲେ । ଏନେଇ ସ୍ୱପ୍ନା ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଲିପୁ ଓ ରାଜେଶ୍ୱରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛ।